Unknown

 

 

 

 

 

 

 

 

 

ଓଡ଼ିଶାରେ ଦୁର୍ଭିକ୍ଷ ଓ ବନ୍ୟା

ଶ୍ରୀ ସୂର୍ଯ୍ୟନାରାୟଣ ଦାଶ

 

ଓଡ଼ିଶାରେ ଦୁର୍ଭିକ୍ଷ

 

A red-haired child

Sick in a fever, if you touch him once

The but as little as a finger-tip,

Will set you weeping; but a million sick

You would as soon weep for the rule of three

Or compound fraction.– Browning

In India famine has become

‘‘No more a stranger or a guest

But like a child at home.’’

And now the child has become master. –Digby

 

ଓଡ଼ିଶାରେ ଦୁର୍ଭିକ୍ଷ ଓ ବନ୍ୟା ଘର କରି ରହିସାରିଲାଣି । ବନ୍ୟା ଓ ଦୁର୍ଭିକ୍ଷ ସହିତ ଓଡ଼ିଶା ଏତେ ସମ୍ୱନ୍ଧ ରଖିସାରିଲାଣି ଯେ ସେମାନଙ୍କର ଦାଉ ନିତ୍ୟ-ନୈମିତ୍ତିକ ଘଟଣା ପରି ବୋଧ ହେଉଅଛି । ଯଦି ଭାରତବର୍ଷର କୌଣସି ପ୍ରଦେଶ ବନ୍ୟା କିମ୍ୱା ଦୁର୍ଭିକ୍ଷର କଷାଘାତ ପ୍ରତିବର୍ଷ ଭୋଗ କରୁଥାଏ, ତେବେ ତାହା ହେଉଛି ଓଡ଼ିଶା । ଦୁର୍ଭିକ୍ଷ ଓ ବନ୍ୟା ଓଡ଼ିଶାକୁ ଛାରଖାର କରିଦେଇସାରିଲାଣି । ଅନ୍ନାଭାବରୁ ଓଡ଼ିଆ ଅନ୍ତଃସାରଶୂନ୍ୟ ହୋଇପଡ଼ିଲାଣି ।

 

ଓଡ଼ିଶାକୁ ଦୁର୍ଭିକ୍ଷ କେବେ ଛାଡ଼ି ନାହିଁ । ଓଡ଼ିଶାର ଇତିହାସର ପ୍ରତ୍ୟେକ ଯୁଗରେ ଦୁର୍ଭିକ୍ଷର ଲୀଳା ଦେଖାଯାଏ । ସାମାନ୍ୟ ହେଉ, ବୃହତ୍‌ ହେଉ, ପ୍ରତି ଚାରି ପାଞ୍ଚବର୍ଷ ମଧ୍ୟରେ ଥରେ ଦୁର୍ଭିକ୍ଷ ଓଡ଼ିଶାରେ ଦେଖାଦେଉଥିବା ଦୃଷ୍ଟାନ୍ତ ବିରଳ ନୁହେଁ ।

 

ଅତୀତ ଯୁଗରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱର ଅ୧୧ଙ୍କ (ଖ୍ରୀ ୧୪୪୪), ଅ୨୭ଙ୍କ, ଅ୩୨ଙ୍କରେ ବି ଓଡ଼ିଶାରେ ଦୁର୍ଭିକ୍ଷ ହୋଇଥିଲା । ପରେ ପ୍ରତାପରୁଦ୍ର ଦେବଙ୍କ ଅ୧୩ଙ୍କ, ମୁକୁନ୍ଦ ଦେବଙ୍କ ଅ୧୮ଙ୍କ, ଦନାଇ ବିଦ୍ୟାଧରଙ୍କ ସମୟରେ ଥରେ, ୧ମ ଦିବ୍ୟସିଂହ ଦେବଙ୍କ ଅ୧୨ଙ୍କ, ୨ୟ ଦିବ୍ୟସିଂହ ଦେବଙ୍କ ଅ୯ଙ୍କ (୧୮୬୬ ଖ୍ରୀ), ୧୮୮୯, ୧୯୦୮, ୧୯୧୯ରେ ଦୁର୍ଭିକ୍ଷ ହୋଇଥିବାର ଜଣାଯାଏ । ୧୮୬୬ ସାଲର ଦୁର୍ଭିକ୍ଷ, ଯାହାକୁ ଲୋକେ ଅ୯ଙ୍କ ଦୁର୍ଭିକ୍ଷ ବୋଲି କହନ୍ତି, ଭୟଙ୍କର ଆକାର ଧାରଣ କରିଥିଲା । ଉପରଲିଖିତ ଦୁର୍ଭିକ୍ଷ ସମୟରେ ଧାନ ଚାଉଳର ମୂଲ୍ୟ କ’ଣ ଥିଲା ତାହା କେତେକ କାଗଜପତ୍ରରୁ ଜଣାଯାଏ । ୧୭୬୯-୭୦ ସାଲରେ ଟଙ୍କାକୁ ଦୁଇ ସେର ଚାଉଳ ମିଳୁ ନ ଥିଲା ବୋଲି ଷ୍ଟର୍ଲିଙ୍ଗ ସାହେବ କହନ୍ତି । ୧୭୭୫ ସାଲରେ ସେରେ ଚାଉଳର ଦାମ୍‌ ଦଶଅଣା ଥିଲା । ସରକାରୀ ରିପୋର୍ଟରୁ ଜଣାଯାଏ ୧୮୬୬ ସାଲରେ ଟଙ୍କାକୁ ପାଞ୍ଚସେର ଚାଉଳ ମିଳୁଥିଲା । ଅନ୍ୟାନ୍ୟ ସମୟର ଦାମ ସହିତ ଦୁର୍ଭିକ୍ଷ ସମୟର ଦରଦାମ ତୁଳନା କଲେ ଲୋକମାନେ କି କଷ୍ଟ ଅନୁଭବ କରିଥିବେ, ତାହା ଅନୁମାନ କରାଯାଇପାରେ ।

 

ଚାଉଳର ହାରାହାରି ଦାମ

ଏକ ଟଙ୍କାକୁ

୧୮୩୬-୪୬

୪୮ସେର

୧୮୪୬-୫୬

୫୮ ସେର

୧୮୫୬-୬୬

୨୯ ସେର

୧୮୬୬-୬୭

୫ ସେର (୯ ଅଙ୍କ ଦୁର୍ଭିକ୍ଷ)

୧୮୬୯-୭୦

୨ ସେର (ଦୁର୍ଭିକ୍ଷ)

୧୮୭୫

୧ ସେର (ଦୁର୍ଭିକ୍ଷ)

୧୮୬୬-୭୬

୨୭ ସେର

୧୮୭୬-୮୬

୨୨ ସେର

୧୮୮୬-୯୮

୧୯ ସେର

 

ବ୍ରିଟିଶ ରାଜତ୍ୱରେ ଦୁର୍ଭିକ୍ଷର ସଂଖ୍ୟା କିଛି କମ ନୁହେଁ । ୧୩୦ ବର୍ଷ ରାଜତ୍ୱରେ ବଡ଼ ଆକାରରେ ୧୫ଟା ଦୁର୍ଭିକ୍ଷ ୧୮୦୬, ୧୮୦୭, ୧୮୦୯, ୧୮୧୭, ୧୮୨୮, ୧୮୩୪, ୧୮୩୬, ୧୮୩୭, ୧୮୪୨,୧୮୬୬,୧୮୮୮, ୧୮୯୧, ୧୯୦୮, ୧୯୧୯ ରେ ଦେଖା ଦେଇଛି ।

 

ଦେଶୀୟ ରାଜାମାନଙ୍କ ରାଜତ୍ୱ ସମୟରେ ଓଡ଼ିଶାରେ ଯେଉଁ ସବୁ ଦୁର୍ଭିକ୍ଷ ହୋଇଥିଲା, ସେ ସମୟରେ ଲୋକେ ବର୍ତ୍ତମାନ ପରି ତେତେ କଷ୍ଟ ଅନୁଭବ କରୁନଥିଲେ । ଦେଶରେ ଦୁର୍ଭିକ୍ଷ ହୋଇଛି ବୋଲି ଘୋଷଣା କରିବାକୁ ଦେଶୀୟ ରାଜାମାନେ ଲଜ୍ଜାବୋଧ କରୁ ନ ଥିଲେ କି ତାକୁ ଘୋଡ଼ାଇ ରଖିବା ପାଇଁ ଚେଷ୍ଟା କରୁନଥିଲେ । ଦୁର୍ଭିକ୍ଷର ଚିହ୍ନ ଦେଖାଗଲାକ୍ଷଣି ମୁକ୍ତହସ୍ତରେ ସାହାଯ୍ୟ ଦିଆଯାଉଥିଲା । ଦେଶରେ ଗୋଟିଏ ସାମାନ୍ୟ ପ୍ରଜା ଅନ୍ନ ନ ପାଇ ପ୍ରାଣ ହରାଇଲେ ରାଜା ନରକଗାମୀ ହେବେ, ଏହି ଭୟରେ ଦୁର୍ଭିକ୍ଷରୁ ପ୍ରଜାକୁଳକୁ ରକ୍ଷା କରିବା ପାଇଁ ସେମାନେ ପ୍ରାଣପଣେ ଚେଷ୍ଟା କରୁଥିଲେ । ପ୍ରଜାମାନେ ମଧ୍ୟ ବର୍ତ୍ତମାନ ପରି ଏତେ ଗରିବ ଥିବାର ଜଣାଯାଏ ନାହିଁ । ଓଡ଼ିଶାରେ ବିଦେଶୀୟ ରାଜତ୍ୱର ପ୍ରତିଷ୍ଠା ହେବାଦିନଠାରୁ ଲୋକେ ଦିନକୁଦିନ ଗରିବ ହୋଇପଡ଼ୁଛନ୍ତି; ସେମାନଙ୍କର ସହନ ଶକ୍ତି ଏକାବେଳକେ ଲୋପ ପାଇଯାଉଛି ।

ଇଂରେଜ ରାଜତ୍ୱ ମଧ୍ୟରେ ଯେଉଁ ୧୫ଟା ଭୟଙ୍କର ଦୁର୍ଭିକ୍ଷ ହୋଇଯାଇଛି, ସେଥିରେ ଲକ୍ଷ ଲକ୍ଷ ଲୋକ ଅସହାୟ ଅବସ୍ଥାରେ କଲବଲ ହୋଇ ପ୍ରାଣ ହରାଇଅଛନ୍ତି । ୧୮୬୬ ସାଲ (୯ ଅଙ୍କ ଦୁର୍ଭିକ୍ଷ)ର କରାଳ ମୂର୍ତ୍ତି ଆଜି ସୁଦ୍ଧା ଆଖିଆଗରେ ନାଚୁଛି । ଦେଶର ପଚାଶ ଲକ୍ଷ ଲୋକ ଦେଶରେ ଶତକଡ଼ା ୪୦ ଜଣ କୀଟପତଙ୍ଗ ପରି ଅନାହାରରେ ମରିଯାଇଛନ୍ତି । ଦେଶ ଶ୍ମଶାନ ଭୂମିରେ ପରିଣତ ହୋଇଯାଇଛି । ବର୍ଷାର ଅଭାବ ଓ ଲବଣ ବାଣିଜ୍ୟର ଅବସାନ ହେତୁ ଲୋକେ ନିଃସ୍ୱ ହୋଇ ଯେ କୌଣସି ପ୍ରକାରେ ଜୀବନଧାରଣ କରିବାକୁ ଚେଷ୍ଟା କରି ସୁଦ୍ଧା ପାରିନାହାନ୍ତି । ବାହାରରୁ ସାହାଯ୍ୟ ମଧ୍ୟ ଯଥେଷ୍ଟ ପରିମାଣରେ ମିଳି ନାହିଁ । ସରକାର ଜାଣି ନ ଜାଣିଲାପରି ଅନେକ ସମୟ ପର୍ଯ୍ୟନ୍ତ ରହିଯାଇଥିବା କଥା ଦୁର୍ଭିକ୍ଷ ଅନୁସନ୍ଧାନ କମିଟି ସ୍ପଷ୍ଟ ଭାବରେ ଲେଖି ଯାଇଅଛନ୍ତି । ସରକାର ଓ ତାଙ୍କର କର୍ମଚାରୀଗଣ ବେଳହୁଁ ହୁସିଆର ହୋଇଥିଲେ ଦେଶରେ ଏଡ଼େ ବଡ଼ କାଣ୍ଡଟାଏ ଘଟି ଯାଇଥାନ୍ତା ବୋଲି ବିଶ୍ୱାସ ହେଉ ନାହିଁ ।

ନଅଙ୍କ ପରି ଭୟାବହ ଘଟଣା ଉତ୍କଳ ଇତିହାସରେ ବିରଳ । ବ୍ୟାସକବି ଫକୀରମୋହନ ନିଜ ଆଖିରେ ଲୋକଙ୍କର ଅବସ୍ଥା ଦେଖି ‘‘ଆତ୍ମଜୀବନଚରିତ’’ ରେ ଏହାର ଯେଉଁ ହୃଦୟ-ବିଦାରକ ବର୍ଣ୍ଣନା ଦେଇଛନ୍ତି, ତାହା ନିମ୍ନରେ ଦିଆଗଲା :–‘‘ଭାଦ୍ରମାସ ଚାରିଦିନ ଖୁବ୍ ଟାଣ ଅସରାଏ ପାଣି ବରଷି ଗଡ଼ିଗଲା । ଭାଦ୍ର ଉତ୍ତାରେ ଅଶିଣ ପ୍ରଥମରୁ ଲୋକେ ଜଳ ସକାଶେ କାତର ଭାବରେ ଆକାଶରୁ ଚାହିଁବାକୁ ଲାଗିଲେ । କାହାରି ମୁଖରୁ ଅନ୍ୟ କୌଣସି କଥା ଶୁଣିବାକୁ ନାହିଁ । କେବଳ–‘ଜଳ, ଜଳ’ । କାର୍ତ୍ତିକ ମାସ ଆରମ୍ଭରୁ ଲୋକେ ନିରାଶ ହୋଇ ପଡ଼ିଲେ । ଜଳ ହେଲେ ମଧ୍ୟ ଆଉ ରକ୍ଷା ନାହିଁ । ଧାନଗଛ ମରିବାକୁ ଲାଗିଲାଣି । ବାଲେଶ୍ୱର ଜିଲ୍ଲାରେ ଏକମାତ୍ର ଫସଲ ଧାନ । ସେହି ଫସଲ ଉପରେ ଲୋକଙ୍କର ଜୀବନ ନିର୍ଭର କରେ । ଧାନଗଛ ଗୁଡ଼ିକ ଶୁଖି କୁଟାପରି ହୋଇଗଲାଣି । କେତେକ ଧାନ ଅଧାଅଧି ବାହାରି କେତେକ ବା ସମ୍ପୂର୍ଣ୍ଣରୂପେ ବାହାରି ସାନ ସାନ ଅଣଖୁଆ ଚଅଁର ପରି ଏପାଖ ସେପାଖ ଦୋହଲୁଥାଏ । ଲୋକେ ଗୋରୁଗାଈ ବିଲ ମଧ୍ୟରେ ଛାଡ଼ିଦେଇଥାନ୍ତି । ମାତ୍ର ଗୋରୁଗୁଡ଼ାକ ଧାନଗଛ ସବୁ ଥରେ ଥରେ ଶୁଘିଂ ଚାଲିଯାନ୍ତି, ଗଛ ଖାନ୍ତି ନାହିଁ ।

 

ଦିନ ମଜୁରିଆ ମୂଲିଆଗୁଡ଼ିକ କଂସା ପିତ୍ତଳ ଯାହା ଖଣ୍ଡେ ଖଣ୍ଡେ ଥିଲା, ବିକିଦେଇ ଯେତେ ଦିନ ଚଳିଲା ଚଳିଲେ । କାର୍ତ୍ତିକ ଶେଷ ସରିକି, ଯାହାକୁ ଯେଉଁ ବାଟ ଦିଶିଲା, ଘରୁ ବାହାରି ଚାଲିଗଲେ । ସ୍ତ୍ରୀ, ପୁରୁଷ, ବାପ, ପୁଅ, କାହାରି ସହିତ କାହାରି ଭେଟ ନାହିଁ । ଦୁଆର ଦୁଆର ବୁଲି ବୁଲି ଭିକ ମାଗୁଥାନ୍ତି । କାହା ଘରେ ଚାଉଳ ଅଛି ଯେ କିଏ ଭିକ ଦେବ ?

ଚାଷୀଲୋକେ ଅବସ୍ଥାନୁସାରେ ପ୍ରଥମେ କଂସା, ପିତ୍ତଳ, ଗୋରୁ, ଗାଈ, ସୁନା, ରୂପା, ଯାହା ଘରେ ଯାହା ଥିଲା ବିକି ବିକି ମାଘ, ଫଗୁଣ ଯାଏ ଦାନ୍ତ କାମୁଡ଼ି ଘରେ ପଡ଼ିରହିଲେ । ସେ ସମୟରେ ବଳଦ ଗୋଟାକର ଦାମ ଧାନ ଗୌଣିକଠାରୁ ପାଞ୍ଚ ଗୌଣି, ଗାଈଟାର ଦାମ ଧାନ ଗୌଣିଏ ଦୁଇ ଗୌଣି । ସୁନାରୂପା ଓଜନ କରିବାକୁ ନିକ୍ତି ତଉଲ ନାହିଁ, ପୁଣି ନିକ୍ତି ଖୋଜିବାକୁ ତର ସହୁ ନାହିଁ । ଦରଦାମ ବୁଝିଛି କିଏ ? ଯେତେ ଗୌଣି ଧାନ ବା ଚାଉଳ ଦେବୁ, ଦେ । ଅନେକ ମଧ୍ୟଭଳି ଲୋକେ ଟଙ୍କା ଅଣ୍ଟାରେ ଖୋସି ଗାଁ ଗାଁ କରି ଧାନ ଚାଉଳ ଖୋଜି ବୁଲୁଥାନ୍ତି । ଧାନ ତ ନାହିଁ; ଯାହାର ଯାହା ଥିଲା, ଲୁଚାଇଦେଲେଣି ।

ଫଗୁଣ ସରିକି ଚାଷିଲୋକ ଅଧିକାଂଶ, କାରିଗର ଶ୍ରେଣୀର ପ୍ରାୟ ସମସ୍ତ ଛିନ୍ନଭିନ୍ନ ହୋଇ ଯେ ଯାହା ପାଇଲା ଚୋବାଉଥାଏ । ତେନ୍ତୁଳି ଗଛରେ କଅଁଳିଆ ପତ୍ର ବାହାରିବାରୁ ଗୋଟିଏ ଗୋଟିଏ ଦଶ କୋଡ଼ିଏ ଜଣ ଲେଖାଏଁ ଚଢ଼ି ମାଙ୍କଡ଼ପରି ପତ୍ରସବୁ ଖୁଣ୍ଟି ଖୁଣ୍ଟି ଖାଉଥାନ୍ତି । ଯେଉଁ ଲୋକକୁ ଅନାଅ, ହାଡ଼ ଓ ଚମ, ଆଖି ଭିତରକୁ ପଶିଗଲାଣି । ଅନେକ ଭଦ୍ରଘର ଯୁବତୀ, ବୋହୂ ଝିଅ, ଦୁଇ ତିନିହାତ ଲମ୍ବ ଶହେଗଣ୍ଠିଳା କନା ଖଣ୍ଡେ ଖଣ୍ଡେ ଅଣ୍ଟାରେ ଭିଡ଼ିଦେଇ ଦାଣ୍ଡ ଦାଣ୍ଡେ ବୁଲୁଥାନ୍ତି । ସେମାନଙ୍କର ମାତୃଚିହ୍ନ ଚର୍ମ ଦୁଇଖଣ୍ଡ ଛାତିରେ ଝୁଲୁଥାଏ । କାହାରି କାହାରି କୋଳରେ ଅସ୍ଥିଚର୍ମମୟ ପିଲା ସେହି ଚର୍ମମୟ ସ୍ତନଟି ମୁହଁରେ ଦେଇ ଝୁଲି ପଡ଼ିଖାଏ । ଶିଶୁଟା ମୃତ କି ଜୀବିତ ଚିହ୍ନି ହେଉନଥାଏ । ଚୈତ୍ରଠାରୁ ମୃତ୍ୟୁସଂଖ୍ୟା ବଢ଼ିବାକୁ ଲାଗିଲା । ଦାଣ୍ଡରେ, ଘାଟରେ, ବଣରେ ପୋଖରୀ ତୁଠରେ ଯହିଁ ଦେଖିବ, ମଡ଼ା ପଡ଼ିରହିଥାନ୍ତି ।

+ + + +

ଫଗୁଣ ଆରମ୍ଭଠାରୁ ଲୋକ ମରିବାର ଆରମ୍ଭ ହେଲା । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଲା । ବାଟ, ଘାଟ, ତୋଠ, ପଡ଼ିଆ ଅରଣ୍ୟ-ଯେଉଁଠାକୁ ଯାଅ ସେଠାରେ ମଡ଼ା ପଡ଼ିଥିବାର ଦେଖିବ । କ୍ରମଶଃ ମୃତଶରୀରରେ ଦେଶଟା ଯେମନ୍ତ ଛାଇ ହୋଇଗଲା ।

ଚାଉଳର ଦର ହୋଇଗଲା ଟଙ୍କାକୁ ଦଶ ସେର । କେବଳ ତିନିଚାରି ଦିନ ସକାଶେ ଟଙ୍କାକୁ ତିନି ସେର ହୋଇଥିଲା । ତାହା ମଧ୍ୟ ସହର ମଧ୍ୟରେ ମିଳିଲା ନାହିଁ । ୩/୪ ଦିନ ଉତ୍ତାରେ ରେଙ୍ଗୁନ୍‌ରୁ ଚାଉଳ ଆସିବାରୁ ଯେଉଁ ଦଶକୁ ସେହି ଦଶ ସେର ହୋଇଗଲା । ଦୁର୍ଭିକ୍ଷ ପୂର୍ବ ବର୍ଷ ଧାନ ଟଙ୍କାକୁ ବାଲେଶ୍ୱରୀ ଓଜନରେ ପ୍ରାୟ ଦେଢ଼ଶ ସେର ଏବଂ ଚାଉଳ ଟଙ୍କାକୁ ଦେଢ଼ ମହଣ ଥିଲା । ସେହି ଚାଉଳ ଦୁର୍ଭିକ୍ଷ ବର୍ଷ ଟଙ୍କାକୁ ୧୦ ସେର ହିସାବରେ ବିକ୍ରୀ ହେବାରୁ ଏପରି ଦୁର୍ଯୋଗ ଘଟିଲା । ସହର ମଧ୍ୟରେ ଯାହା କିଛି ମିଳୁଥିଲା; କିନ୍ତୁ ମଫସଲରେ ଏକାବେଳକେ ଅପ୍ରାପ୍ୟ । ମଫସଲରେ ଯେଉଁ ଯେଉଁ ଲୋକଙ୍କ ଘରେ ଧାନ ଚାଉଳ ଥିଲା, ସେମାନେ ଲୁଚାଇଦେଲେ । ଅଧିକାଂଶ ଲୋକ ଘର ମଧ୍ୟରେ ଗାତଖୋଳି ପୋତିପକାଇଲେ ।’’

ଯେତେବେଳେ ଦେଶରେ ଲକ୍ଷ ଲକ୍ଷ ଲୋକ ମରିଗଲେ, ସରକାର କଲିକତା ଓ ରେଙ୍ଗୁନ୍‌ରେ ଚାଉଳ ଆଣି ସ୍ଥାନେ ସ୍ଥାନେ ଅନ୍ନଛତ୍ର ଫିଟାଇଲେ । ପେଟ ବିକଳରେ ଅନ୍ନଛତ୍ରରେ ଭାତ ଖାଇ ଲୋକେ କିପରି ମଲେ, ତାହା ଫକୀରମୋହନ ନିଜର ଜୀବନ୍ତ ଭାଷାରେ ନିମ୍ନଲିଖିତ ପ୍ରକାରେ ବର୍ଣ୍ଣନା କରିଅଛନ୍ତି :–‘‘ଅନ୍ନଛତ୍ରର ନାମ ମଫସଲରେ ପ୍ରଚାର ହେବାମାତ୍ରେ ଅନ୍ନକ୍ଳିଷ୍ଟ କାଙ୍ଗାଳିମାନେ ସହରକୁ ଧାଇଁଲେ । ପନ୍ଦର କୋଡ଼ିଏ ଦିନ ପୂର୍ବରୁ ଅନ୍ନ ସହିତ ସେମାନଙ୍କର ଭେଟ ନାହିଁ, କଅଁଳ ପତ୍ର ଏବଂ ଅଖାଦ୍ୟ ଫଳମୂଳ ଖାଇ ବଞ୍ଚି ରହିଥିଲେ; ଅନ୍ନାଶାରେ ସହରକୁ ଧାଇଁଲେ-। ମାତ୍ର ଏତେ ଦୂରକୁ ଆସି ପାରିବେ କିପରି ? ଦଶ ବାର ପଣ ଲୋକ ତ ବାଟରେ ମଲେ । ଯେଉଁମାନେ ଅନ୍ନଛତ୍ର ଯାଏ ଆସିପାରିଲେ, ସେମାନେ କେବଳ ବଖତେ ବଖତେ ଅନ୍ନ ଖାଇ କେହି ଝାଡ଼ାବାନ୍ତିରେ, କେହି ଆମାଶୟରେ ମଲେ । ସେମାନଙ୍କର ପେଟ ତ ଶୁଖି ରହିଥିଲା; ଭାତ ଦେଖି ଯେ ଯେତେ ପାଇଲା ପେଟେ ପେଟେ ଖାଇ ପକାଇଲା । ହଜମଶକ୍ତି ବିଲୁପ୍ତ-ଏତେ ଭାତ କ’ଣ ପେଟ ସମ୍ଭାଳି ପାରିବ ?

ଅନ୍ନଛତ୍ରର ଚତୁର୍ଦ୍ଦିଗରେ ଏବଂ ସହରରେ ଅନ୍ୟାନ୍ୟ ସ୍ଥାନ ଦାଣ୍ଡରେ ଘାଟରେ ଯେଉଁ ସବୁ ଲୋକ ମରି ପଡ଼ିରହିଥାନ୍ତି, ସକାଳୁ ମେହେନ୍ତରମାନେ ସେମାନଙ୍କୁ ଉଠାଇ ଶଗଡ଼ରେ ପୂରାଇ ନଦୀକୁ ଫୋପାଡ଼ିଦିଅନ୍ତି । ମାସେ କି ଦେଢ଼ମାସ ପର୍ଯ୍ୟନ୍ତ ମେହେନ୍ତରମାନେ ପ୍ରତିଦିନ ତିନି ଚାରିଖଣ୍ଡ ମଡ଼ା-ବୋଝେଇ ଶଗଡ଼ ନଦୀ ଆଡ଼କୁ ଘେନି ଯାଉଥିବାର ଲେଖକ ପ୍ରତ୍ୟକ୍ଷ ଦେଖିଅଛି-।’’ (ଫକୀରମୋହନ ସେନାପତିଙ୍କ ‘‘ଆତ୍ମଜୀବନଚରିତ’’ ପୃ, ୩୩-୩୯୦)

 

ପୃଥିବୀରେ ଯେତେ ଯେତେ ପ୍ରଦେଶରେ ଯେତେ ଯେତେ ସମୟରେ ଦୁର୍ଭିକ୍ଷ ହୋଇଯାଇଛି, ତା’ର କାରଣ ଅନୁସନ୍ଧାନ କରିବା ପାଇଁ ଅନେକ ଥର ଚେଷ୍ଟା ହୋଇଛି ଅନେକ ଅର୍ଥଶାସ୍ତ୍ରବିତ୍ ପଣ୍ଡିତ ନିଜ ନିଜର ମତ ବ୍ୟକ୍ତ କରି ଯାଇଅଛନ୍ତି । ସେମାନଙ୍କର ମତସବୁ ଆଲୋଚନା କଲେ ଜଣାପଡ଼େ, ସାଧାରଣତଃ ନିମ୍ନଲିଖିତ କାରଣମାନଙ୍କରୁ ଦୁର୍ଭକ୍ଷ ହୁଏ । (୧) ପ୍ରାକୃତିକ କାରଣ (୨) ଅପ୍ରାକୃତିକ କାରଣ । ପ୍ରାକୃତିକ କାରଣ ମଧ୍ୟରୁ ପ୍ରଧାନ ହେଉଛି (କ) ଅତିବୃଷ୍ଟି (ଖ) ଅନାବୃଷ୍ଟି (ଗ)ଜଳସେଚନର ଅଭାବ (ଘ) ଝିଣ୍ଟିକା ପ୍ରଭୃତି କୀଟଦ୍ୱାରା ଫସଲ ହାନି-। ଅପ୍ରକୃତ କାରଣମାନଙ୍କରୁ ପ୍ରଧାନ ହେଉଛି (କ) ଯୁଦ୍ଧ-ଯୁଦ୍ଧ ହେଲେ ଜିନିଷର କାରବାର ଏକାବେଳକେ ବନ୍ଦ ହୋଇଯାଏ, ବାଣିଜ୍ୟର ହ୍ରାସ ଘଟେ । (ଖ) ଖାଦ୍ୟ ପଦାର୍ଥର କାରବାର, ଆମଦାନି ରପ୍ତାନି ଓ ବିକ୍ରୀ (ଗ) ଖାଦ୍ୟ ଦ୍ରବ୍ୟର ଉତ୍ପାଦନ ଓ ବଣ୍ଟନ (ଘ) ସରକାରଙ୍କ ପରିଚାଳନା-

 

ଓଡ଼ିଶାରେ ଯେଉଁ ଦୁର୍ଭିକ୍ଷ ହେଉଛି; ତା’ର କାରଣ ଗୁଡ଼ିକ ଉତ୍ତମରୂପେ ଆଲୋଚନା କଲେ ଜଣାଯିବ ଯେ, ଉପରେ ଯେଉଁ କାରଣ ଗୁଡ଼ିକ ଉଲ୍ଲେଖ କରାଗଲା, ସେଗୁଡ଼ିକରୁ କେତେକ ଓଡ଼ିଶାରେ ବିଦ୍ୟମାନ ରହିଛି ।

 

ଅନାବୃଷ୍ଟି ଯୋଗୁଁ ଓଡ଼ିଶାରେ ଦୁର୍ଭିକ୍ଷ ଖୁବ୍ କମ୍ ସମୟରେ ହୋଇଛି । ଓଡ଼ିଶାରେ ଫସଲ ହେବା ପାଇଁ ବର୍ଷକରେ ୫୬-୫୭ ଇଞ୍ଚ ବର୍ଷା ଦରକାର ହୁଏ; କିନ୍ତୁ ହାରାହାରି ଭାବରେ ବର୍ଷକେ ୫୯ ଇଞ୍ଚ ବର୍ଷା ଏ ଦେଶରେ ହୋଇଥାଏ ।

 

ଅତି ବୃଷ୍ଟିରୁ ଦୁର୍ଭିକ୍ଷ ହେବା ଘଟନା ଓଡ଼ିଶାରେ ବିରଳ ନୁହେଁ । ଆମ ଦେଶରେ ଅତିବୃଷ୍ଟି ହେଉ କିମ୍ବା ମଧ୍ୟପ୍ରଦେଶ, ଗଡ଼ଜାତରେ ଅତିବୃଷ୍ଟି ହେଉ, ଆମ ଦେଶର ନଦୀମାନଙ୍କରେ ନିଶ୍ଚୟ ବନ୍ୟା ହେବ । ତାହାଦ୍ୱାରା ଯେ କେତେ ପରିମାଣରେ ଫସଲର ହାନି ହୁଏ, ତାହା ଓଡ଼ିଶାବାସୀଙ୍କୁ ବୁଝାଇବା ଅନାବଶ୍ୟକ । ଜଳସେଚନର ଅଭାବ ଓଡ଼ିଶାରେ ପୂର୍ଣ୍ଣମାତ୍ରାରେ ରହିଛି-। ଯେଉଁସବୁ କେନାଲ ରହିଛି, ତାହା ସମୁଦ୍ରକୁ ଶଙ୍ଖେ ପାଣି ପରି । କୂଅ ଓ ପୋଖରୀ ଦ୍ୱାରା ଜଳସେଚନର ପରିମାଣ ଖୁବ୍ କମ୍ । ଏ ହେତୁ ଓଡ଼ିଶାରେ ଉତ୍ତମରୂପେ ଫସଲ ହୋଇପାରୁନାହିଁ ।

 

ଅପ୍ରାକୃତିକ କାରଣମାନଙ୍କ ଦ୍ୱାରା ଦେଶ ଯେ ଦିନକୁ ଦିନ ଗରିବ ହୋଇପଡ଼ୁଛି, ଏଥିରେ ସନ୍ଦେହ ନାହିଁ । ଇଂରେଜ ସରକାରଙ୍କ ପରିଚାଳନା ପ୍ରଣାଳୀ ଦେଶକୁ ସମୃଦ୍ଧିଶାଳୀ କରିବାରେ ସାହାଯ୍ୟ କରୁନାହିଁ; ବରଂ ଗରିବରୁ ଗରିବ କରିଦେଉଛି । ଭାରତସରକାରଙ୍କ ଆର୍ଥିକ ଅବସ୍ଥାର ପରିଚାଳନାର ସମାଲୋଚନା ନୂତନ ଭାବରେ ହେଉ ନାହିଁ । କି ବିଦେଶୀୟ କି ସ୍ୱଦେଶୀୟ ସର୍ବଶ୍ରେଣୀର ପଣ୍ଡିତମାନଙ୍କ ମତରେ ଏହି ପରିଚାଳନାର ସନ୍ତୋଷଜନକ ପରିବର୍ତ୍ତନ ନ ହେଲେ ରକ୍ଷା ନାହିଁ । ଓଡ଼ିଶା କିଛି ଭାରତର ବାହାରେ ନୁହେଁ । ବିଶେଷତଃ ଏ ଦେଶ ଯେତେବେଳେ ସମଗ୍ର ଭାରତବର୍ଷରେ ସର୍ବାପେକ୍ଷା ଗରିବ ପ୍ରଦେଶ, ସେତେବେଳେ ଏଠାରେ ଲୋକେ କି ଯନ୍ତ୍ରଣା ଅନୁଭବ କରୁଥିବେ ତାହା ସହଜେ ଅନୁମେୟ । ଅବସ୍ଥା ଦେଖି ଯେ କୌଣସି ଲୋକ କହିପାରିବ ଯେ ପ୍ରତ୍ୟେକ ବର୍ଷ, ଏପରିକି ପ୍ରତ୍ୟେକ ଦିନ ଭାରତବର୍ଷରେ ଦୁର୍ଭିକ୍ଷର ଲୀଳା ହେଉଥିବ । ଜାତୀୟ ଜୀବନରେ ଯାହା ପ୍ରଧାନ, ଯାହା ମଜ୍ଜା ସ୍ୱରୂପ, ତାହା ଏକାବେଳକେ ଆମର ହାତର ବାହାରେ ରହିଥିବା ଯୋଗୁଁ ଭାରତର ଏହି ଶୋଚନୀୟ ଅବସ୍ଥା ।

 

ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ଓଡ଼ିଶାରେ ଦୁର୍ଭିକ୍ଷ ହେଲା ବେଳକୁ ଲୋକେ କାହିଁକି ବେଶୀ ଅସୁବିଧା ଓ କଷ୍ଟ ଅନୁଭବ କରନ୍ତି, ତା’ର କେତେକ କାରଣ ନିମ୍ନରେ ଦିଆଗଲା ।

 

(୧) ଜନସଂଖ୍ୟାର ବୃଦ୍ଧି ଅନୁପାତରେ ଫସଲର ପରିମାଣର ବୃଦ୍ଧି ହୋଇନାହିଁ–

 

ଓଡ଼ିଶାରେ ଜୀବନଧାରଣ କରି ରହିବା ପାଇଁ ଜଣ ପିଛା ଯେତେ ପରିମାଣରେ ଖାଦ୍ୟଦ୍ରବ୍ୟ ଦରକାର, ତାହା ସେ ପାଇପାରେ ନାହିଁ । ଆମ ଦେଶରେ ଜଣପିଛା ଜାଷଜମି ପଡ଼ୁଛି ୧.୨ ଏକର । ବର୍ଷକପାଇଁ ଜଣପିଛା ଖର୍ଚ୍ଚ ଶ୍ରେଣୀ ବିଶେଷରେ ଟ ୫୦-୮୦ ଟଙ୍କା । ଏହି ୧.୨ ଏକର ଜମିରୁ ଯାହାକିଛି ଆୟ, ତାହାଦ୍ୱାରା ପରିପୋଷଣ ହେବା ଏକାବେଳକେ ଅସମ୍ଭବ । ଏହାଛଡ଼ା ଦେଶର ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ୧୮୬୬ ଠାରୁ ୧୯୩୧ ସାଲ ମଧ୍ୟରେ ଜନସଂଖ୍ୟା ପ୍ରାୟ ୫୦ ଲକ୍ଷ ବୃଦ୍ଧି ପାଇଛି । ଏହାର ଅନୁପାତରେ କୃଷି ଜମିର ପରିମାଣ ତେତେ ବୃଦ୍ଧି ପାଇ ନାହିଁ, କି ଉତ୍ପନ୍ନ ଫସଲର ପ୍ରକାର ଓ ପରିମାଣର ମଧ୍ୟ ବୃଦ୍ଧି ହୋଇ ନାହିଁ । ଏହା ଯେ କିପରି ଭୟାବହ ବ୍ୟାପାର, ତାହା ବର୍ଣ୍ଣନା କରି ହେଉନାହିଁ । ଏଣ୍ଡୁୟୁଲ୍‌ଙ୍କ ମତରେ– ‘‘ଯେଉଁ ଜାତି ଏପରି ଅବସ୍ଥାରେ ପଡ଼େ, ପ୍ରକୃତରେ ତାକୁ ଉତ୍କଟ ଅନ୍ନକଷ୍ଟ ସହିବାକୁ ପଡ଼େ ଏବଂ ସେହି ଜାତି କ୍ରମଶଃ ଲୋପ ପାଇଯାଏ ।’’

 

(୨) ଜଳସେଚନର ଅଭାବ–

 

କେନାଲ, କୂଅ, ପୋଖରୀ ଦ୍ୱାରା ଜମିକୁ ପାଣି ଯୋଗାଇବା ବ୍ୟବସ୍ଥା ଓଡ଼ିଶାରେ ତେତେ ହୋଇ ନାହିଁ । ପାଣିପାଇଁ କୃଷକକୁ ଆକାଶକୁ ଚାହିଁ ରହିବାକୁ ପଡ଼ୁଛି । ବର୍ଷାର ଅଭାବ ହେଲେ କୃଷକର ସର୍ବନାଶ ହେଉଛି । ସଙ୍ଗେ ସଙ୍ଗେ ଦୁର୍ଭିକ୍ଷ ଦେଖା ଦେଉଛି ।

 

(୩) ଖାଦ୍ୟଦ୍ରବ୍ୟ ସଂଗ୍ରହର ଅଭାବ–

 

ଓଡ଼ିଆ କୃଷକ ଏତେ ଗରିବ ଯେ ସେ ଯାହା କିଛି ରୋଜଗାର କରେ,ସେଥିରୁ କିଛି ବଞ୍ଚାଇ ରଖି ପାରେ ନାହିଁ । କ୍ଷେତରୁ ତା’ର ଯାହା ଆୟ ହୁଏ, ତାହା ବ୍ୟୟ ପାଇଁ ଅନେକ ସମୟରେ ନିଅଣ୍ଟ ପଡ଼େ । ଭବିଷ୍ୟତ୍‌ ପାଇଁ କିଛି ସଞ୍ଚୟ କରି ରଖିବା ତା’ ପକ୍ଷରେ ଏକାନ୍ତ ଅସମ୍ଭବ । ସେହି ହେତୁ ଯେତେବେଳେ ଫସଲ ଅବସ୍ଥା ଖରାପ ହୋଇଯାଏ, ତା’ର ପ୍ରତିକାର କିମ୍ୱା ଆଉ ବର୍ଷକର ଭରଣପୋଷଣ ପାଇଁ ତା’ ପାଖରେ କିଛି ଗଚ୍ଛିତ ନ ଥାଏ । ଫସଲ ନଷ୍ଟ ହେଲାମାତ୍ରେ ଦୁର୍ଭିକ୍ଷ ଦେଖା ଦିଏ ଏବଂ ଅନ୍ନ ନ ପାଇ ନିରୁପାୟ ହୋଇ ଲୋକେ ମୃତ୍ୟୁମୁଖରେ ପତିତ ହୁଅନ୍ତି ।

 

(୪) ଭୌଗୋଳିକ ବିଚ୍ଛିନ୍ନତା–

 

ଓଡ଼ିଶାର ଭୌଗୋଳିକ ଅବସ୍ଥା ଏପରି ହୋଇଛି ଯେ, ଭାରତର ଅନ୍ୟାନ୍ୟ ପ୍ରଦେଶମାନଙ୍କଠାରୁ ସେ ବିଶେଷ ଭାବରେ ପୃଥକ ହୋଇ ରହୁଛି । ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଅସଂଖ୍ୟ ପର୍ବତ ଜଙ୍ଗଲ ଦ୍ୱାରା ମଧ୍ୟପ୍ରଦେଶରୁ ବିଚ୍ଛିନ୍ନ ହୋଇ ରହିଛି । ଦକ୍ଷିଣ ଓ ଉତ୍ତର ଦିଗରେ ଅନେକ ବଡ଼ ବଡ଼ ନଦୀ ଥିବା ଯୋଗୁଁ ଦକ୍ଷିଣ ଭାରତ ଓ ଉତ୍ତର ଭାରତଠାରୁ ମଧ୍ୟ ବିଚ୍ଛିନ୍ନ ହୋଇ ରହିଛି । ଅବଶ୍ୟ ଦେଶରେ ରେଲ୍‌ଲାଇନ ପଡ଼ିଯିବାରୁ କେତେକ ପରିମାଣରେ ଯାତାୟାତର ଅସୁବିଧା ଦୂର ହୋଇଛି । ଦୁର୍ଭିକ୍ଷ ସମୟରେ ଅନ୍ୟାନ୍ୟ ପ୍ରଦେଶରୁ ସ୍ୱଳ୍ପଦାମରେ ଜିନିଷ ଆସିବା ପାଇଁ ତେତେ ଅସୁବିଧା ନାହିଁ । ଉପଯୁକ୍ତ ସମୟରେ ଶସ୍ତାରେ ଜିନିଷ ମିଳେ ନାହିଁ ବୋଲି ଦୁର୍ଭିକ୍ଷର ଦାଉ ବଢ଼ିଯାଏ ।

 

(୫) ମଜୁରି ଅଭାବ–

 

ଓଡ଼ିଶାରେ କୁଲିଶ୍ରେଣୀର ଲୋକଙ୍କର ସଂଖ୍ୟା କମ୍‌ ନୁହେଁ । ଶତକଡ଼ା ୩୦ ଜଣ କୁଲିଗିରି କରି ଜୀବନ ନିର୍ବାହ କରନ୍ତି । କୃଷକମାନଙ୍କ ମଧ୍ୟରୁ ଅଧିକାଂଶ ବର୍ଷକରୁ ତିନି ଚାରି ମାସ ମଜୁରି ଲାଗନ୍ତି । ଫସଲ ନଷ୍ଟ ହୋଇଗଲେ ଅଧିକାଂଶ ପ୍ରଜା ଅର୍ଥାତ୍‌ ଜନସଂଖ୍ୟାର ଶତକଡ଼ା ୭୦ ଜଣ ଏହି ମଜୁରି ଉପରେ ନିର୍ଭର କରନ୍ତି । କିନ୍ତୁ ଓଡ଼ିଶାରେ ମଜୁରି ପାଇବା କଷ୍ଟ ହେଉଥିବାରୁ ଅନେକ ଲୋକ ବିଦେଶକୁ ଚାଲିଯାନ୍ତି ଏବଂ ଯେଉଁମାନେ ଅସୁବିଧାବଶତଃ ରହିଯାନ୍ତି, ସେମାନଙ୍କର ଦୁଃଖ କହିଲେ ନ ସରେ ।

 

ଦେଶରେ ଦୁର୍ଭିକ୍ଷର ଲୀଳା କିପରି ବନ୍ଦ ହେବ, ତା’ର ଉପାୟ କରିବା ପ୍ରତ୍ୟେକ ସଭ୍ୟ ସରକାରର କର୍ତ୍ତବ୍ୟ । ଯଦି ଗୋଟିଏ ସୁଦ୍ଧା ପ୍ରଜା ଅନ୍ନ ନ ପାଇ ପ୍ରାଣତ୍ୟାଗ କରେ ତେବେ ସରକାର ସେଥିପାଇଁ ସମ୍ପୂର୍ଣ୍ଣରୂପେ ଦାୟୀ । ପ୍ରଜାର ଭରଣପୋଷଣ ସମ୍ବନ୍ଧରେ ସରକାରଙ୍କର କେତେ ବଡ଼ ଗୁରୁଦାୟିତ୍ୱ ରହିଛି, ତାହା ପ୍ରତ୍ୟେକ ସ୍ୱାଧୀନ ଦେଶର ସରକାରଙ୍କର କାର୍ଯ୍ୟକଳାପରୁ ଜଣାଯିବ । ଆମ ଦେଶରେ ସରକାର ନିଜର ଦାୟିତ୍ୱ ଉତ୍ତମରୂପେ ବୁଝି ପାରୁଥିଲା ପରି ଜଣାପଡ଼ୁନାହିଁ । ଇଂରେଜ ରାଜତ୍ୱ ଅମଳରେ ଯେତେ ଯେତେ ଦୁର୍ଭିକ୍ଷ ହୋଇଯାଇଛି, ତା’ର ଇତିହାସ ଅନୁସନ୍ଧାନ କଲେ ସ୍ପଷ୍ଟ ଭାବରେ ଜଣାଯିବ, ସରକାର ଓ ତାଙ୍କ କର୍ମଚାରୀବର୍ଗ ନିଜର କର୍ତ୍ତବ୍ୟ କରି ନାହାନ୍ତି । ଏହି କର୍ତ୍ତବ୍ୟର ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ନିରୀହ ପ୍ରଜା କଲବଲ ହୋଇ ଜୀବନ ଛାଡ଼ିଛନ୍ତି । ୧୮୬୬ ସାଲର ଦୁର୍ଭିକ୍ଷ କମିଟି ଦେଖାଇ ଦେଇଛନ୍ତି, କିପରି ଭାବରେ ସରକାରଙ୍କ କର୍ମଚାରୀମାନେ ସେ ବର୍ଷର ଦୁର୍ଭିକ୍ଷ ପରି ଗୋଟିଏ ଭୟଙ୍କର ବିପଦ ପ୍ରତି ଉଦାସୀନ ଥିଲେ । ୧୯୦୮ ସାଲର ଦୁର୍ଭିକ୍ଷ ସମୟରେ ମଧ୍ୟ ସେହି ଅବସ୍ଥା । ନେଭିନ୍‌ସନ୍‌ ସାହେବ ସରକାରୀ କର୍ମଚାରୀମାନଙ୍କ ଗତିବିଧିକୁ ଲକ୍ଷ୍ୟକରି ଯାହା ଲେଖିଛନ୍ତି ତା’ର ମର୍ମ ହେଉଛି–‘‘ସରକାରୀ କର୍ମଚାରୀମାନେ ଲେଖିଛନ୍ତି ଯେ ଅନ୍ନାଭାବରୁ କେହି ମରି ନାହାନ୍ତି ଏବଂ ଯେଉଁ କେତୋଟି ମରିଯାଇଛନ୍ତି ସେମାନଙ୍କର ମୃତ୍ୟୁର କାରଣ କଲେରା ପରି ସାମାନ୍ୟ କିଛି ରୋଗ କିମ୍ବା ଉଦରରୋଗ । ମୋର ଏ କଥାରେ ବିଶ୍ୱାସ ହୋଇଯାଇଥାନ୍ତା, ଯଦି ମୁଁ ମଫସଲକୁ ଯାଇ ନିଜ ଆଖିରେ ଅସ୍ଥିକଙ୍କାଳସାର ଗୁଡ଼ିଏ ଶବ ଦେଖି ନ ଥାନ୍ତି । ବୁଝିଲି ଯେ, ଅନ୍ନଭାବରୁ ଲୋକେ ମରୁଛନ୍ତି ଏକଥା ଲେଖିବା ପାଇଁ ହାକିମମାନେ ମୋଟେ ରାଜି ନୁହନ୍ତି....ସାଧାରଣତଃ ଅଡ଼ୁଆ ବଢ଼ିଯିବା ଭୟରେ ହାକିମମାନେ ଲୋକଙ୍କର ଯନ୍ତ୍ରଣା କମ୍‌ ବୋଲି ଘୋଷଣା କରିବାକୁ ଚାହାନ୍ତି ।’’ [Vide H.W.Nevinson’s New spirit in India. re: Orissa famine 1908] ୧୯୧୯ ସାଲରେ ଉତ୍କଳ ଦେଶ ମିଶ୍ରଣ କମିଟି ସେହି ବର୍ଷର ଦୁର୍ଭିକ୍ଷ ସମ୍ବନ୍ଧରେ ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ସେଥିରୁ ମଧ୍ୟ ସରକାରଙ୍କ ଅବହେଳା କଥା ଉତ୍ତମରୂପେ ମିଳୁଛି । ସେ ସମୟର କମିଶନର ଗ୍ରୁନିଙ୍ଗ ସାହେବ ଦେଶରେ ଦୁର୍ଭିକ୍ଷ ହୋଇଛି ଏ କଥା ସ୍ପଷ୍ଟ ଭାବରେ ସ୍ୱୀକାର କରିବାପାଇଁ ଆଦୌ ରାଜି ନଥିଲେ । ଭାରତର ବିଭିନ୍ନ ସ୍ଥାନରୁ ସାହାଯ୍ୟ ଆସି ଲୋକଙ୍କ କଷ୍ଟର କିପରି ଲାଘବ ହେବ, ତା’ର ଚେଷ୍ଟା ହେଉଥିବା ସମୟରେ ସରକାରୀ ହାକିମମାନେ ଆଦୌ ସହଯୋଗ କରିନାହାନ୍ତି । ଓଡ଼ିଶାର ହାଡ଼ି ବାଉରାଣୀଙ୍କ ହାତରେ ପିତ୍ତଳ, ଜର୍ମାନୀ ସିଲ୍‌ଭର ବାହି, ଖଡ଼ୁ ଦେଖି ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର କମିଶନର ଗ୍ରୁନିଙ୍ଗ ସାହେବ କହିଥିଲେ ଯେ, ଓଡ଼ିଶାର ସ୍ତ୍ରୀମାନେ ସୁନା ଓ ରୂପାର ଖଡ଼ୁ ବାହି ପିନ୍ଧୁଥିବା ସମୟରେ ଦେଶରେ ଦୁର୍ଭିକ୍ଷ ହୋଇଛି ବୋଲି କିପରି କୁହାଯିବ ?

 

କେବଳ ଓଡ଼ିଶାର କଥା ନୁହେଁ, ସମଗ୍ର ଭାରତବର୍ଷରେ ମଧ୍ୟ ଏପରି ଅବସ୍ଥା ଅନେକ ସମୟରେ ଦେଖାଯାଏ । ହାକିମମାନଙ୍କର ମନୋବୃତ୍ତି କିପରି ତାହା ଫରିଦ୍‌ପୁରର କଲେକ୍ଟର ସେ ଜିଲ୍ଲାର ୧୯୦୭ ସାଲରେ ହୋଇଥିବା ଦୁର୍ଭିକ୍ଷ ସମ୍ବନ୍ଧରେ ଯାହା କହିଥିଲେ, ସେଥିରୁ ବେଶ୍‌ ବୁଝାଯିବ–‘‘There are still leaves in the trees and women are not yet prostitutes, therefore there is no famine is this part of the country.” ଅର୍ଥାତ୍‌ ‘‘ଗଛମାନଙ୍କରେ ଆହୁରି ପତ୍ର ରହିଛି, ସ୍ତ୍ରୀମାନେ ଆହୁରି ବେଶ୍ୟା ହୋଇ ନାହାନ୍ତି; ସେହି ହେତୁରୁ ଏ ଅଞ୍ଚଳରେ ଦୁର୍ଭିକ୍ଷ ହୋଇ ନାହିଁ ।’’

 

ଭାରତର ଦୁର୍ଭିକ୍ଷର କାରଣ ଅନୁସନ୍ଧାନ କରିବାକୁ ଯାଇ ଡାକ୍ତର ସାଣ୍ଡର୍‌ଲେଣ୍ଡ କହିଛନ୍ତି–‘‘ଲୋକେ ଏତେ ଗରିବ, ସେମାନେ ବଡ଼ କଷ୍ଟରେ ଜୀବିକା ନିର୍ବାହ କରନ୍ତି । ଭବିଷ୍ୟତ୍‌ ବିପତ୍ତି ପାଇଁ ଆଗରୁ କିଛି ସଞ୍ଚୟ କରି ରଖିପାରନ୍ତି ନାହିଁ । ଯଦି ଫସଲ ନଷ୍ଟ ହୋଇଯାଏ, ତେବେ ସେମାନେ ଏକାବେଳେ ଅସହାୟ ହୋଇପଡ଼ନ୍ତି । ବାହାରରୁ ସାହାଯ୍ୟ ନ ପାଇଲେ ମୃତ୍ୟୁମୁଖରେ ପତିତ ହୁଅନ୍ତି ।’’ (Dr. Sunderland’s “The Cause of Indian” famines The New England Magazine : Sept,1920.)

 

ପରିଶେଷରେ ବକ୍ତବ୍ୟ ଏହି ଯେ, ସରକାରଙ୍କ ଏତେ ଉଦାସୀନତା ସତ୍ତ୍ୱେ ଦେଶର ଜନସାଧାରଣଙ୍କର ନିରୁତ୍ସାହ ହେବା ଉଚିତ ନୁହେଁ । କୌଣସି ଜିନିଷ ଅସାଧ୍ୟ ନୁହେଁ । ଜାତିର ଯେ କୌଣସି ପ୍ରକାରେ ବଞ୍ଚିରହିବା ଦରକାର । ଆମେ ଧରାପୃଷ୍ଠରୁ ଲୋପ ପାଇଯିବୁ-ଏହା କଦାପି ହୋଇପାରେ ନା ।

Image

 

ଓଡ଼ିଶାର ବନ୍ୟା ସମସ୍ୟା

 

Flood is a Permanent desease in Orissa

[Mahatma Gandhi]

 

Mahanadi is Orissa and Orissa is Mahanadi

[Deenabandhu C. F. Andrews]

 

ବନ୍ୟା, ଓଡ଼ିଶା ପ୍ରତି ଈଶ୍ୱରଙ୍କର ଅଭିଶାପ । ବନ୍ୟା ଓଡ଼ିଶାକୁ ଛାରଖାର କରିଦେଇସାରିଲାଣି । ଓଡ଼ିଶାର କୌଣସି ନା କୌଣସି ଅଞ୍ଚଳରେ ପ୍ରତିବର୍ଷ ବନ୍ୟା ଯୋଗୁଁ ଦୁର୍ଭିକ୍ଷ ହେଉଛି । ଶତ ଶତ ଗ୍ରାମ ଧୂଳିରେ ମିଶିଯାଉଛି, ଲକ୍ଷ ଲକ୍ଷ ମାଣ ଉର୍ବର ଜମି ମରୁଭୂମି ପାଲଟିଯାଉଛି । ଏବେ ନୁହେଁ, ଶତ ଶତ ବର୍ଷ ଧରି ଓଡ଼ିଶା ଏହି ଅଭିଶାପ ଭୋଗ କରିଆସୁଛି ।

 

ଊନବିଂଶ ଶତାବ୍ଦୀରେ ହୋଇଥିବା ବନ୍ୟାମାନଙ୍କର ସଠିକ ବିବରଣୀ ମିଳୁନଥିଲେ ସୁଦ୍ଧା କେପ୍‌ଟନ ହେରିସ୍‌ ଓ ମିଃ ମୋଫାଟ୍‌ ମିଲ୍‌ସ ଯେଉଁ ବିବରଣ ଦେଇ ଯାଇଅଛନ୍ତି ସେଥିରୁ ସେ ସମ୍ୱନ୍ଧରେ କିଛି ଧାରଣା ହୋଇପାରେ ।

 

୧୮୩୧-୩୨–ଏହି ବର୍ଷ ପଟ୍ଟାମୁଣ୍ଡେଇ ଅଞ୍ଚଳରେ ଭୀଷଣ ବନ୍ୟା ହୋଇଥିଲା । ସମୁଦ୍ରରୁ ଝଡ଼-ବତାସ ଆସି ପଟ୍ଟାମୁଣ୍ଡେଇ ପର୍ଯ୍ୟନ୍ତ ମାଡ଼ିଯାଇଥିଲା । ଅନେକ ଅଞ୍ଚଳ ଭାସିଯାଇଥିଲା ।

୧୮୫୬-୫୭–ଏହି ବର୍ଷ ଯେଉଁ ବନ୍ୟା ହୋଇଥିଲା ତାହା ପ୍ରାୟ ୧୫-୨୦ଦିନ ପର୍ଯ୍ୟନ୍ତ ରହିଥିଲା । ଅନେକ କ୍ଷତି କରି ଯାଇଥିଲା ।

୧୮୫୭-୫୮–ଏହା ପୂର୍ବ ବର୍ଷର ବନ୍ୟା ଅପେକ୍ଷା ଅଧିକ ଭୟଙ୍କର ଥିଲା । ଏଥିରେ ବହୁତ କ୍ଷତି ହୋଇଥିଲା ।

୧୮୬୬-୬୭–ଏହି ବର୍ଷ ଦୁର୍ଭିକ୍ଷ ପରେ କେତେକ ଅଞ୍ଚଳରେ ବଢ଼ି ହୋଇଥିଲା । ୧୮,୪୨,୫୦୧ ଏକର ଜମି ଏବର୍ଷ ଚାଷ ହୋଇଥିଲା । ଏଥିର ପ୍ରାୟ ଏକ ତୃତୀୟାଂଶ ଧୋଇ ହୋଇଯାଇଥିଲା ।

୧୮୮୫-୮୬–ଏ ବର୍ଷ ଏତେ ବର୍ଷା ହୋଇଥିଲା ଯେ ସମୁଦ୍ରରୁ ପାଣି ମାଡ଼ିଆସି ଅନେକ କ୍ଷତି କରିଯାଇଥିଲା ।

୧୮୯୫-୯୬–ଏହି ବର୍ଷ ମଧ୍ୟ ବନ୍ୟା ହୋଇଥିଲା ।

ଏହି ବିଂଶ ଶତାବ୍ଦୀରେ ଯେଉଁସବୁ ବନ୍ୟା ଦେଖା ଯାଇଛି ତା’ ମଧ୍ୟରୁ ବେଶୀ ଭୟଙ୍କର ହେଉଛି ୧୯୨୭ ର ବୈତରଣୀ ବନ୍ୟା ଓ ୧୯୩୩ ର କାଠଯୋଡ଼ି ବନ୍ୟା ।

୧୯୨୭ ର ବନ୍ୟାରେ ଯାଜପୁର ଅଞ୍ଚଳ ଏକାବେଳକେ ମାଟିରେ ମିଶିଯାଇଛି ।

୧୯୩୩ ର ବନ୍ୟା ତ କାଲିର କଥା । ଆଜି ପର୍ଯ୍ୟନ୍ତ ଆହୁରି ସାହାଯ୍ୟ ଦିଆ ଶେଷ ହୋଇ ନାହିଁ । ଏତେ ବଡ଼ ବନ୍ୟା ଓଡ଼ିଶାରେ କେବେ ଦେଖାଥିଲା ବୋଲି ମନେ ହେଉ ନାହିଁ । ପ୍ରାକୃତିକ ଉତ୍କଳର ପ୍ରତ୍ୟେକ ଅଞ୍ଚଳ ବନ୍ୟାର ଦାଉ ଭୋଗ କରିଛି । ବନ୍ୟା ଦେବୀ ସତେ ଯେପରି ସମଗ୍ର ଓଡ଼ିଶାକୁ ଗ୍ରାସ କରିବାକୁ ବସିଥିଲା ! କେବଳ ପୁରୀ ଓ କଟକ ଜିଲ୍ଲାରେ ୩ ଲକ୍ଷ ଏକର ଜମିର ଫସଲର ପତ୍ତା କେଉଁଆଡ଼େ ଲୋପ ପାଇଗଲା । ହଜାର ହଜାର ଏକର ଜମି ଉପରେ ବାଲି ମାଡ଼ିଯାଇ ମରୁଭୂମି ହୋଇଗଲା । ଶତ ଶତ ଗୋରୁଗାଈ ଜଳରେ ସମାଧି ଲାଭ କଲେ । ସାତଜଣ ମନୁଷ୍ୟ ଭାସିଯାଇଥିବା କଥା ସରକାର ଜଣାଇଥିଲେ । ବନ୍ୟା ସମୟର ଚିତ୍ର କଳ୍ପନା କଲା ବେଳକୁ ଦେହ ଥରି ଉଠୁଛି ।

ସେ ଦୃଶ୍ୟ କି କରୁଣ, କି ମର୍ମନ୍ତୁଦ !

ବନ୍ୟା ଅଞ୍ଚଳର ଲୋକମାନଙ୍କର ଅବସ୍ଥା କ’ଣ ବୋଲି ବର୍ଣ୍ଣନା କରିବୁଁ ? ସହସ୍ର ସହସ୍ର ଲୋକ ନିରନ୍ନ, ବସ୍ତ୍ରହୀନ, ଅସ୍ଥି କଙ୍କାଳସାର ହୋଇ ଯେଉଁ ଯନ୍ତ୍ରଣାଭୋଗ କରୁଛନ୍ତି ତାହା ଆଖିରେ ଦେଖିନଥିଲେ ବର୍ଣ୍ଣନାରୁ ହୃଦୟଙ୍ଗମ କରିବା କଷ୍ଟକର । ଏହି ଯେ ହଜାର ହଜାର ଲୋକ, ମୁଠାଏ ଭାତ, ଟୋପାଏ ଔଷଧ ଅଭାବରୁ ଅସହାୟ ଅବସ୍ଥାରେ ଜୀବନ ଛାଡ଼ୁଛନ୍ତି ତା’ର ହିସାବ ରଖୁଛି କିଏ ?

ଦିନକୁ ଦିନ ଓଡ଼ିଶାର ଦୁଃଖ ବଢ଼ୁଛି ।

ଏହି କାଳଗ୍ରହ ବନ୍ୟାର କାରଣ ଅନୁସନ୍ଧାନ କରିବା ପାଇଁ ଅନେକ ଉଦ୍ୟମ ହୋଇ ଅନେକ ସୁପାରିସ ହୋଇଛି କିନ୍ତୁ ସମସ୍ୟାର ସମାଧାନ ଦିଗରେ ସନ୍ତୋଷଜନକ ରୂପେ ସେପରି କିଛି କାର୍ଯ୍ୟ ହୋଇ ନାହିଁ କହିଲେ ଚଳେ ।

ପ୍ରକୃତିଦେବୀ ଓଡ଼ିଶାକୁ ଯେପରି ଭାବରେ ଗଢ଼ିଛି ସେଥିରେ ବିଶେଷ ଭାବେ ବନ୍ୟା ହେବାର ଯଥେଷ୍ଟ ଆଶଙ୍କା ରହିବାର କଥା । ପୁରୀ, କଟକ, ବାଲେଶ୍ୱର ଏହି ତିନି ଜିଲ୍ଲା ଗୋଟିଏ ଡେଲଟା ସ୍ୱରୂପ ରହିଅଛି କହିଲେ ଚଳେ । ଏହି ତିନି ଜିଲ୍ଲାର ପ୍ରାୟ ୮୦୦୦ ବର୍ଗ ମାଇଲ ବନ୍ୟାଦ୍ୱାରା ପ୍ରପୀଡ଼ିତ ହେଉଛି । ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ଏହି ତିନି ନଦୀ ଓ ଏମାନଙ୍କର ଶାଖା ପ୍ରଶାଖା ଏହି ତିନି ଜିଲ୍ଲାରେ ଜାଲ ପରି ରହିଅଛନ୍ତି । ବର୍ଷା ହେଲେ ମଧ୍ୟପ୍ରଦେଶ ଓ ଗଡ଼ଜାତରୁ ଏହି ନଦୀମାନଙ୍କରେ ପାଣି ଆସେ । ପାଣି ଆସିବା ସ୍ଥାନଠାରୁ ସମୁଦ୍ର ବେଶୀଦୂର ନୁହେଁ । ଅତିବଡ଼ ହେଲେ ୭୦-୮୦ ମାଇଲ ହେବ ମାତ୍ର । ଉଚ୍ଚସ୍ଥାନରୁ ପାଣି ଆସି ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସମୁଦ୍ରରେ ପଡ଼େ ବୋଲି ପାଣିର ସୁଅ ଖୁବ୍‌ ଜୋର ଥାଏ । ପାଣିସଙ୍ଗରେ ବହୁତ ମାଟି ମଧ୍ୟ ଥାଏ । ଏହିମାଟି ସବୁ ନଦୀଗର୍ଭରେ ବସିଯାଇ ନଦୀଗୁଡ଼ିକୁ ଢିପୁଆ କରିଦେଲାଣି । ବର୍ତ୍ତମାନ ହିସାବରୁ ଦେଖାଯାଇଛି ବଢ଼ି ସମୟରେ ଯେତେ ପାଣି ଆସୁଛି ତା’ର ଅଧେ କେବଳ ନଦୀରେ ଯାଇପାରିବ । ମହାନଦୀରେ ପ୍ରତ୍ୟେକ ସେକେଣ୍ଡରେ ୧୫ ଲକ୍ଷ ଘନଫୁଟ୍‌ ପାଣି ଆସୁଛି-। ଏଥିରୁ ଅଧେ କେବଳ ମହାନଦୀ ଧରି ପାରିବ । ବଳକା ଅଧିକ ନଦୀ ଡେଇଁ ଚାଲି ଯିବାକୁ ହେବ । ବଡ଼ ବର୍ଷା ସମୟରେ ପ୍ରତିବର୍ଷ ଏହା ହିଁ ଘଟିଥାଏ । ନଦୀ ଗର୍ଭଗୁଡ଼ିକ ଢିପ ହୋଇଯିବା ବନ୍ୟାର ଗୋଟିଏ ମୁଖ୍ୟ କାରଣ ବୋଲି କୁହାଯାଇ ପାରେ ।

 

ଏହା ଛଡ଼ା ଆଉ ଦୁଇଟି ଅନ୍ୟତମ କାରଣ ମଧ୍ୟ ରହିଛି । ଗୋଟିଏ ହେଉଛି ସମୁଦ୍ର ପାଣିର ଗଭୀରତା । ଦକ୍ଷିଣ-ପଶ୍ଚିମ ମନ୍‌ସୁନ ସମୟରେ ବଙ୍ଗୋପସାଗରରେ ସମୁଦ୍ରର ପାଣିର ଉଚ୍ଚତା ଖୁବ୍‌ ବଢ଼ିଯାଏ । ସାଧାରଣ ବର୍ଷା କେବଳ ୨-୩ ଫୁଟ ଉପରକୁ ଉଠିଯାଏ ଏବଂ ବଡ଼ ଝଡ଼ ସମୟରେ ନଦୀର ମୁହାଣପାଖରେ ୩ ଫୁଟରୁ ବହୁତ ବେଶୀ ଉପରକୁ ଉଠିଯିବାର ମଧ୍ୟ ଦେଖା ଯାଇଥାଏ । ଏହାର ଫଳରେ ନଦୀର ପାଣି ଶୀଘ୍ର ସମୁଦ୍ର ଭିତରକୁ ଖଲାସ ହୋଇପାରେ ନାହିଁ । ସମୁଦ୍ରଭିତରୁ ପାଣି ଖଲାସ ହୋଇ ନ ପାରିଲେ ବଳକା ପାଣିଟା ନଦୀକୁ ଡେଇଁପଡ଼ି ଜମି ଉପରେ ମାଡ଼ିଯାଏ ।

 

ଅନ୍ୟ କାରଣଟି ହେଉଛି, ସମୁଦ୍ରକୂଳରେ ବାଲିବନ୍ଧ । ଖରାଦିନେ ଦକ୍ଷିଣରୁ ଉତ୍ତରକୁ ଯେଉଁ ପବନ ବହେ ସେଥିରେ ସମୁଦ୍ର ବାଲିସବୁ ଉଡ଼ିଆସି ମାଇଲ ମାଇଲ ଧରି ବନ୍ଧପରି ପଡ଼ିରହେ । ଏହି ବନ୍ଧ ଗୁଡ଼ିକର ଉଚ୍ଚତା ସମୁଦ୍ର ତଳଠାରୁ ପ୍ରାୟ ୨୦-୩୦ ଫୁଟ ବେଶୀ । ନଦୀର ମୁହାଣଠାରେ ଏହି ବନ୍ଧ ଅନେକ ସମୟରେ ଦେଖାଯାଏ । ଏହାଦ୍ୱାରା ନଦୀର ପାଣି ସମୂହ ଭିତରରୁ ସୁବିଧାରେ ଖଲାସ ହୁଏ ନାହିଁ । ଅନେକ ସମୟରେ ଦେଖାଯାଇଛି ଏହି ବନ୍ଧ ଯୋଗୁଁ ନଦୀର ମୁହାଣ ଘୂଞ୍ଚି ୨ ଅନ୍ୟସ୍ଥାନକୁ ଚାଲିଯାଇଛି । ପୁରୀରେ ସୁନାମୁହିଁ ଓ ଭାର୍ଗବୀର ଗତି ଏହି ହେତୁ ପରିବର୍ତ୍ତନ ହୋଇ ଯାଇଅଛି ।

 

ଏହି ବନ୍ୟାର ପ୍ରତିକାର ପାଇଁ ଅନେକ ଅନୁସନ୍ଧାନ ହୋଇଛି । ୧୯୨୮ ସାଲରେ ଯେଉଁ ବନ୍ୟା କମିଟି ବସିଥିଲା ସେଥିରେ ଅନେକ ବିଶାରଦ ସଭ୍ୟରୂପେ ଥିଲେ । ସେମାନେ ଓଡ଼ିଶାର ଏହି ତିନି ଜିଲ୍ଲାକୁ ତନ୍ନ ତନ୍ନ ଭାବେ ଦେଖି ଅନେକ ସୁପାରିସ କରିଯାଇଅଛନ୍ତି । ସେମାନଙ୍କ ଆଗରେ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାକ୍ଷ୍ୟ ଦେଇଥିଲେ । ବେସରକାରୀ ସାକ୍ଷିମାନେ ସାଧାରଣତଃ ନିମ୍ନଲିଖିତ ପ୍ରତିକାର ଉପାୟଗୁଡ଼ିକ ଉପସ୍ଥାପିତ କରିଥିଲେ । କିନ୍ତୁ ସରକାର ସେଗୁଡ଼ିକୁ ଅର୍ଥହୀନ ଓ ଅସମ୍ଭବ ମନେ କରି ପରିତ୍ୟାଗ କରିଅଛନ୍ତି ।

 

୧.

କେହି କେହି କହି ଅଛନ୍ତି ଯେ ଉପର ଅଞ୍ଚଳରେ ନଦୀର ପାଣିକୁ ରଖିବାପାଇଁ ଜାଗା କରାଯାଉ-। ସେଗୁଡ଼ିକ ବଡ଼ ବଡ଼ ପୋଖରୀ ପରି ହେବ । ବଢ଼ି ସମୟରେ ନଦୀରୁ ପାଣିଯାଇ ସେହି ଜାଗାରେ ରହିବ । ଏହା ଦ୍ୱାରା ନଦୀର ପାଣିର ପରିମାଣ କମିଯିବ ଏବଂ ବର୍ଷା ଛାଡ଼ିଗଲେ ଏହି ପାଣି ଚାଷରେ ବ୍ୟବହାର କରିବା ପାଇଁ ସୁବିଧା ହେବ । କମିଟିଙ୍କ ମତରେ ଏପରି କରିବାକୁ ହେଲେ କୋଟି କୋଟି ଟଙ୍କା ଦରକାର ପଡ଼ିବ । ବିଶେଷତଃ ପ୍ରତିବର୍ଷ ନଦୀର ପାଣିରେ ଆସୁଥିବା ମାଟି ଏହି ପୋଖରୀ ଗୁଡ଼ିକରେ ପଡ଼ି ପୋଖରୀ ଗୁଡ଼ିକ ଢିପ କରିଦେବ । ଅଳ୍ପ କେତେକ ବର୍ଷ ମଧ୍ୟରେ ଏହି ପୋଖରୀ ଗୁଡ଼ିକ ଅକର୍ମଣ୍ୟ ହୋଇପଡ଼ିବ ।

 

 

୨.

ଆଉ କେତେକ ଜଣ କହି ଅଛନ୍ତି ଯେ ନଦୀର ମୁହାଣଗୁଡ଼ିକ ବାଲି ପଡ଼ି ପଡ଼ି ଢିପ ହୋଇଗଲାଣି ସେ ଗୁଡ଼ିକୁ ଧାରାବାହିକ ରୂପେ ନ ଖୋଳେଇଲେ ନଦୀର ପାଣି ସୁବିଧାରେ ଖଲାସ ହେବ ନାହିଁ । ଯେପରି ସବୁ ନଦୀର ମୁହାଣ ଗୁଡ଼ିକ ଖୋଳାଯାଏ ତା’ର ବ୍ୟବସ୍ଥା କରିବାକୁ ହେବ । କମିଟିର ମତରେ ଏହା ଗୋଟିଏ ବଡ଼ କାରଣ ନୁହେଁ । ସେମାନେ କହିଛନ୍ତି ଯେ ମହାନଦୀ, ବ୍ରାହ୍ମଣୀ, ବୈତରଣୀର ମୁହାଣରେ ଏପରି କିଛି ଅସୁବିଧା ନାହିଁ । ପାଣି ସ୍ୱଚ୍ଛନ୍ଦରେ ଖଲାସ ହେଉଛି କିନ୍ତୁ ପୁରୀ ଜିଲ୍ଲା ସମ୍ୱନ୍ଧରେ ସେମାନଙ୍କର ସନ୍ଦେହ ରହିଛି । ମୁହାଣ ପାଖରେ ଯେଉଁ ବାଲିବନ୍ଧ ପଡ଼ି ପଡ଼ି ଆସୁଛି ଏହାଦ୍ୱାରା ମୁହାଣ ଗୁଡ଼ିକ ଢିପ ହୋଇଯାଇଛି । ସେହି ହେତୁ କେତେକ ସ୍ଥାନରେ ମୁହାଣକୁ ସିଧା କରିବା ପାଇଁ ଖର୍ଚ୍ଚ ହେବା ଦରକାର ।

 

 

 

କିନ୍ତୁ ନଦୀର ଗର୍ଭକୁ ଖୋଳାଇବା ପ୍ରସ୍ତାବକୁ ସେମାନେ ଏକାବେଳକେ ନାପସନ୍ଦ କରି ଅଛନ୍ତି । ପ୍ରକୃତି ବିପକ୍ଷରେ ଏଡ଼େ ବଡ଼ ଯୁଦ୍ଧ କରି ହେବ ନାହିଁ ବୋଲି ସେମାନଙ୍କର ମତ-

 

 

୩.

ଆଉ କେତେକଙ୍କ ମତ ଯେ ନଦୀ ଗର୍ଭରେ ଯେଉଁ ଡେମ୍‌ ଗୁଡ଼ିକ ବସିଛି ସେ ଗୁଡ଼ିକ ଦ୍ୱାରା ବାଲି ଅଟକି ଯାଇ ନଦୀକୁ ଢିପ କରି ଦେଉଛି । ଅତଏବ ଏଗୁଡ଼ିକୁ ଉଠାଇ ଦେବାକୁ ହେବ । କମିଟିଙ୍କ ମତରେ ଏହି କାରଣ ଭିତ୍ତିଶୂନ୍ୟ । ଡେମର ଉପର ଅଞ୍ଚଳରେ ହୁଏତ ଏପରି ଖଟିପାରେ କିନ୍ତୁ ତଳ ଅଞ୍ଚଳକୁ ଡେମ୍‌ ମୋଟେ ଅସୁବିଧାରେ ପକାଉ ନାହିଁ-। ତେବେ ତଳ ଅଞ୍ଚଳରେ ବା କାହିଁକି ବନ୍ୟା ହେଉଛି ? ସେହି ହେତୁ ଡେମ୍‌ ଗୁଡ଼ିକ ଉଠାଇ ଦେଲେ ଯେ ବନ୍ୟା କମିଯିବ ଏଥିରେ ବିଶ୍ୱାସ ଯିବାର କୌଣସି କାରଣ ନାହିଁ ବୋଲି କମିଟି ମତପ୍ରକାଶ କରି ଅଛନ୍ତି ।

 

 

୪.

ମହାନଦୀର ବଳକା ପାଣିକୁ ଖଲାସ କରିବାପାଇଁ ମନାଗୁଣି ନଦୀ ଭିତରକୁ ଡେରିଙ୍ଗି ଠାରୁ ଗୋଟିଏ ନାଳ ଖୋଲାଯାଉ ଏବଂ ମନାଗୁଣି ଠାରୁ ଚିଲିକା ଭିତରକୁ ଆଉ ଗୋଟିଏ କେନାଲ ଖୋଲାଯାଉ । ଏହାହେଲେ ଅତିଶୀଘ୍ର ମହାନଦୀର ଶାଖା ଗୁଡ଼ିକର ପାଣି ଚିଲିକାରେ ପଡ଼ିବ । କମିଟି ଏହି ପ୍ରସ୍ତାବଟିକୁ ଗ୍ରହଣ କରି ନାହାନ୍ତି । ସେ କହନ୍ତି ଯେ ଏପରି କରିବାକୁ ହେଲେ ପ୍ରାୟ ୧/୨ ମାଇଲ ଓସାରରୁ ଗୋଟିଏ କେନାଲ ଖୋଳିବାକୁ ହେବ । ଦୁଇ କୂଳରେ ଖୁବ୍‌ ମଜଭୁତ୍‌ ବନ୍ଧ ଦେବାକୁ ହେବ । ଏଥିରେ ବେଶୀ ପଇସା ଖର୍ଚ୍ଚ ହେବ । ଏହାଛଡ଼ା ଆଉ ଗୋଟିଏ କାରଣ ମଧ୍ୟ ସେ ଦେଖାଇଛନ୍ତି । ପୁରୀ ଜିଲ୍ଲାର ନଦୀମାନଙ୍କର ଜଳ ଚିଲିକାରେ ପଡ଼େ । କିନ୍ତୁ ଚିଲିକାମୁହଁ ଏକପ୍ରକାରେ ବନ୍ଦ ଥିବାରୁ ସବୁପାଣି ଖଲାସ ହୋଇପାରୁନାହିଁ । ଏହିହେତୁ ଅଧିକାଂଶ ସମୟରେ ପୁରୀ ଜିଲ୍ଲାରେ ବନ୍ୟା ହୁଏ । ଯଦି କେନାଲ ଦେଇ ମହାନଦୀର ପାଣିକୁ ଚିଲିକାରେ ପକେଇ ଦିଆଯାଏ ତେବେ ଚିଲିକାରେ ଏତେପାଣି ଧରିବ ନାହିଁ ଯେପରି ଚିଲିକା ମୁହଁରେ ବେଶୀ ପାଣି ଖଲାସ ହୋଇପାରୁନାହିଁ ମହାନଦୀର ପାଣି ପଡ଼ିବା ମାତ୍ରେ ପ୍ରତିଦିନ ଚିଲିକାର ପାଣିର ଉଚ୍ଚ ପ୍ରାୟ ୭-୮ ଫୁଟ କରି ବଢ଼ିବ । ଏହା କିପରି ଭୟଙ୍କର କଥା ତାହା ସହଜରେ ଜଣା ପଡ଼ିବ । ଚିଲିକାର ମୁହଁ ଖୋଳା ନ ହେବା ଯାକେ ଏହି ପ୍ରସ୍ତାବଟି କାର୍ଯ୍ୟରେ ପରିଣତ କରାଯାଇପାରିବ ନାହିଁ । ଚିଲିକାର ମୁହଁ ଖୋଳା ହେବା କଥା ଗୋଟିଏ ସ୍ୱତନ୍ତ୍ର ସମସ୍ୟା । ଏପରି ସ୍ଥଳରେ ଏହି ପ୍ରସ୍ତାବଟିକୁ କାର୍ଯ୍ୟରେ ପରିଣତ କରିବା ପରେ ଫଳ କ’ଣ ହେବ ତାହା କହିବା ସମ୍ଭବପର ନୁହେଁ ବୋଲି କମିଟି ମତ ଦେଇଅଛନ୍ତି ।

 

 

୫.

ଅଧିକାଂଶ ବେସରକାରୀ ସାକ୍ଷୀମାନେ କହିଥିଲେ ଯେ କେନାଲ ଗୁଡ଼ିକୁ ଏକାବେଳକେ ଉଠାଇ ଦିଆଯାଉ । ଏହି କେନାଲ ରହିବା ଦ୍ୱାରା ନଦୀର ବଳକା ପାଣିଟା ସମାନ ଭାବରେ ଚାରିଆଡ଼େ ମାଡ଼ି ଯାଇ ପାରୁ ନାହିଁ । ଚାରିଆଡ଼େ ମାଡ଼ି ଚାଲିଗଲେ ବଢ଼ିଟା ସେତେ ବେଶୀ ହୁଅନ୍ତା ନାହିଁ । ଏପରି ନ ହେବା ଦ୍ୱାରା ପାଣିଟା କେବଳ ଗୋଟିଏ ତରଫରେ ମାଡ଼ିଯାଇଛି ଏବଂ ବଢ଼ିର ପରିମାଣଟା ମଧ୍ୟ ବେଶୀ ହୋଇ ପଡ଼ୁଛି ବିଶେଷତଃ କେନାଲ ଦ୍ୱାରା ଓଡ଼ିଶାର ବେଶୀ କିଛି ଲାଭ ହେଉ ନାହିଁ । କମିଟି ଏହି ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି । ସେ କହନ୍ତି ଯେ ଓଡ଼ିଶାର ସକଳ ଦୂରବସ୍ଥାର କାରଣ ହେଉଛି ଅତିବୃଷ୍ଟି କିମ୍ୱା ଅନାବୃଷ୍ଟି । ଅନାବୃଷ୍ଟି ସମୟରେ ଏହି କେନାଲ ଅଞ୍ଚଳ କେବଳ ଏକମାତ୍ର ସହାୟ । ଆହୁରି ମଧ୍ୟ ଏହି ବିଭାଗରେ କୋଟି କୋଟି ଟଙ୍କା ଖରଚ ହୋଇଥିବା ବେଳେ ତାକୁ ବା କିପରି ଛାଡ଼ିଦିଆଯାଇପାରେ ?

 

ସାଧାରଣ ଭାବରେ ବେସରକାରୀ ସାକ୍ଷୀମାନେ ଯେଉଁସବୁ ପ୍ରସ୍ତାବଗୁଡ଼ିକ ଦେଇଥିଲେ ସେଗୁଡ଼ିକୁ ନାମଞ୍ଜୁର କରିଦେବା ପରେ ବନ୍ୟା କମିଟି ନିଜର କେତେଗୁଡ଼ିଏ ପ୍ରସ୍ତାବ ଦେଇଛନ୍ତି । ବନ୍ୟା କମିଟି ଓଡ଼ିଶାର ଏହି ତିନିଗୋଟି ଉପକୂଳ ଜିଲ୍ଲାର ଚାଷୋପଯୋଗୀ ଅଞ୍ଚଳକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରି ଅଛନ୍ତି :–

 

(୧)

ରକ୍ଷିତ ଅଞ୍ଚଳ–ଯେଉଁ ଅଞ୍ଚଳରେ କେନାଲ ଅଛି ଏବଂ ବନ୍ଧଦ୍ୱାରା ବନ୍ୟାରୁ ରକ୍ଷା କରାଯାଇଛି-

(୨)

ଅର୍ଦ୍ଧ-ରକ୍ଷିତ ଅଞ୍ଚଳ । ଊଣା ଅଧିକରେ ବନ୍ଧଦ୍ୱାରା ବନ୍ୟାରୁ ରକ୍ଷା କରାଯାଇଛି ଅଥର କେନାଲ ନାହିଁ ।

(୩)

ଅ-ରକ୍ଷିତ ଅଞ୍ଚଳ–ଯେଉଁ ଅଞ୍ଚଳରେ କେନାଲ ନାହିଁ କି ବନ୍ଧଦ୍ୱାରା ବନ୍ୟାର ରକ୍ଷା କରାଯାଇନାହିଁ ।

 

ରକ୍ଷିତ ଅଞ୍ଚଳ ହେଉଛି ଓଡ଼ିଶାର ଖୁବ୍‌ ସମୃଦ୍ଧିଶାଳୀ, ଏହି ଅଞ୍ଚଳରେ ବନ୍ୟା ହୁଏ ନାହିଁ । ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକୁ ବନ୍ୟାର ରକ୍ଷା କରିବା ପାଇଁ କେନାଲକୁ ଉଠାଇଦେବା କଥା କମିଟି ପସନ୍ଦ କରିନାହାନ୍ତି ବୋଲି ପ୍ରଥମେ କୁହାଯାଇଛି ।

 

ଅର୍ଦ୍ଧ-ରକ୍ଷିତ ଅଞ୍ଚଳର ଅବସ୍ଥା ମଧ୍ୟମ । ଏହି ଅଞ୍ଚଳରେ ବନ୍ୟାର ରକ୍ଷା କରିବା ପାଇଁ ‘‘ଅନେକ ଗୁଡ଼ିଏ ବନ୍ଧ ଅଛି । କିନ୍ତୁ ସେଗୁଡ଼ିକ କେବଳ ଏକଦର୍ଶିତାରେ ହୋଇଅଛି । ସାଇ-ପଡ଼ିଶା ପ୍ରତି ଦୃଷ୍ଟି ନଦେଇ ଏହି ବନ୍ଧଗୁଡ଼ିକ ତିଆର ହୋଇଛି । ଗୋଟିଏ ଗ୍ରାମ ଚାରିପାଖରେ ବନ୍ଧ ପଡ଼ିବା ଦ୍ୱାରା ଯେ ଅପର ଗ୍ରାମର ଘୋର କ୍ଷତି ହେଲା ଏହି କଥା ଆଦୌ ବିଚାର ହୋଇ ନାହିଁ । ଯଦି ଏହି ବନ୍ଧଗୁଡ଼ିକ ନଥାନ୍ତା ତେବେ ପାଣିଟା ସମାନ ଭାବରେ ଖୋଲି ଚାଲିଯାନ୍ତା । ବଢ଼ିଟା ବଡ଼ ହୁଅନ୍ତା ନାହିଁ କି ବେଶୀ ଦିନ ମଧ୍ୟ ରହନ୍ତା ନାହିଁ । ଏପରି ହେଲେ ଫସଲର ବେଶୀ କିଛି କ୍ଷତି ହୁଅନ୍ତା ନାହିଁ । ଏହି ଅଞ୍ଚଳକୁ ବଢ଼ିର ଦାଉକୁ କମାଇଦେବାକୁ ହେଲେ ପାଣିର ସ୍ୱଚ୍ଛନ୍ଦଗତିର ପ୍ରତିବନ୍ଧକରେ ଯେ ଯେଉଁ ସବୁ ବନ୍ଧଗୁଡ଼ିକ ରହିଛି ସେସବୁ ଉଠାଇଦେବାକୁ ହେବ ।

 

ଅ-ରକ୍ଷିତ ଅଞ୍ଚଳର ଅବସ୍ଥା ନିତାନ୍ତ ଶୋଚନୀୟ । ପ୍ରାୟ ପ୍ରତିବର୍ଷ ଏ ଅଞ୍ଚଳଗୁଡ଼ିକରେ ବନ୍ୟା ହୁଏ । ଆଳି, କୁଜଙ୍ଗ, ନିଆଳି, ମାଧବ, ମାଛଗାଁ, ହରିଶପୁର, ମରିଶପୁର, କାକଟପୁର, ଗୋପ, ନିମାପଡ଼ା ପ୍ରଭୃତି ଅଞ୍ଚଳଗୁଡ଼ିକ ପ୍ରାୟ ପ୍ରତିବର୍ଷ ବଢ଼ିର ଦାଉ ଭୋଗ କରନ୍ତି । ଏ ସ୍ଥାନଗୁଡ଼ିକ ସାଧାରଣତଃ ଧୋଇଆ ଅଞ୍ଚଳ ନାମରେ ପରିଚିତ । ଦଶବର୍ଷରେ ଥରେ ସୁଦ୍ଧା ଏ ଅଞ୍ଚଳର ଚାଷୀମାନେ ଶାରଦଫସଲ ଆଦାୟ କରିପାରନ୍ତି କି ନାହିଁ ସନ୍ଦେହ । ଏଠାର ଲୋକମାନଙ୍କୁ ସବୁବେଳେ ରବିଫସଲ ଉପରେ ନିର୍ଭର କରିବାକୁ ପଡ଼େ ।

 

କିନ୍ତୁ ଆମଦେଶର ଚାଷୀମାନଙ୍କର ଗୋଟିଏ ଦୁର୍ଗୁଣ ଯେ ସେମାନେ ଶାରଦ ଛଡ଼ା ଡାଳୁଅ କିମ୍ୱା ରବି ଉପରେ ବେଶୀ ନିର୍ଭର କରନ୍ତି ନାହିଁ । ଧୋଇଆ ଅଞ୍ଚଳରେ ଯଦି ଡାଳୁଅ ଓ ରବି ଫସଲର ବହୁଳ ପ୍ରଚାର ହୁଅନ୍ତା ତେବେ ଅବସ୍ଥା ଅନେକ ପରିମାଣରେ ସ୍ୱଚ୍ଛଳ ହୋଇପାରନ୍ତା ବୋଲି ବିଶ୍ୱାସ ।

 

ଏହି ରବି ଫସଲ କରିବା ସମ୍ୱନ୍ଧରେ ଆଉ ଗୋଟିଏ ଅସୁବିଧା ରହିଛି । ଓଡ଼ିଶାରେ ସାଧାରଣତଃ ବର୍ଷା ଛାଡ଼ିଗଲେ ଜମିରେ ଆଉ ପାଣି ରହେ ନାହିଁ । ରବି ଫସଲ କରିବା ପାଇଁ ପାଣି ଆଦୌ ମିଳେ ନାହିଁ । ରବି ଫସଲ କରିବାକୁ ହେଲେ ପାଣିକଳ ଦ୍ୱାରା ପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ହେବ । ଏ ଦିଗରେ ସରକାରଙ୍କ କୃଷିବିଭାଗର ଯେ ବେଶୀ କର୍ତ୍ତବ୍ୟ ରହିଛି କହିବା ବାହୁଲ୍ୟ ମାତ୍ର । ଆଜି ପର୍ଯ୍ୟନ୍ତ ଏ ଦିଗରେ କୃଷି ବିଭାଗ କିଛି କରି ନ ଥିବା ବଡ଼ ଦୁଃଖର ବିଷୟ । ଧୋଇଆ ଅଞ୍ଚଳରେ ସ୍ଥାନେ ସ୍ଥାନେ କୃଷିବିଭାଗର କେନ୍ଦ୍ର ରହି କୃଷକମାନଙ୍କୁ ନୂତନ ଧରଣର ସ୍ଥାନୋପଯୋଗୀ ଫସଲ ଓ ଜଳସେଚନର ବ୍ୟବସ୍ଥା ସମ୍ୱନ୍ଧରେ ବୁଝାଇବାକୁ ହେବ ।

 

ବନ୍ୟା କମିଟି ଭିନ୍ନ ଭିନ୍ନ ଅଞ୍ଚଳ ପାଇଁ ଯେଉଁସବୁ ସୁପାରିସ କରିଅଛନ୍ତି ତା’ର କେତେକ ମୁଖ୍ୟ ଅଂଶ ନିମ୍ନରେ ଦିଆଗଲା ।

 

ସୁବର୍ଣ୍ଣରେଖା ଅଞ୍ଚଳ

 

(୧)

ଭୋଗରାଇ ଓ ଯୋକି ବନ୍ଧ ମଧ୍ୟବର୍ତ୍ତୀ କୋଣରେ ଗୋଟିଏ ନୂଆ ବନ୍ଧ ତିଆର କରି ଏହି ଦୁଇଟି ବନ୍ଧକୁ ଉଠାଇ ଦେବାକୁ ହେବ ।

(୨)

ହସକୁରା ନଦୀପୁଞ୍ଜର ମୁହାଣରେ ଥିବା ଚକ ବନ୍ଧସବୁ ଉଠାଇ ଦେବାକୁ ହେବ ।

(୩)

ସାଲସା ପାଟରୁ ପାଣି ଖଲାସ କରିବା ପାଇଁ ଗୋଟିଏ ସ୍ରିକ ରଖିବାକୁ ହେବ ।

(୪)

ଯେତେକ ସରକାରୀ ନାଳଗୁଡ଼ିକ ଅଛି ସେଥିରେ ମାଛ ମାରିବା ବନ୍ଦ କରିବାକୁ ହେବ-

(୫)

ଡାରବୁର ବନ୍ଧକୁ ଭଲ ଭାବରେ ରଖିବାକୁ ହେବ ।

 

ସୁବର୍ଣ୍ଣରେଖା-ବୈତରଣୀ ମଧ୍ୟସ୍ଥିତ ଅଞ୍ଚଳ

 

(୧)

ହାଇଲେଭଲ କେନାଲର ତୃତୀୟ ରେଞ୍ଜରେ ପାଣି ଖଲାସ ପାଇଁ ବାଟ ରଖିବାକୁ ହେବ ଏବଂ ଏହି କେନାଲକୁ ଭଦ୍ରଖଠାରେ ଶେଷ କରିବାକୁ ହେବ ।

(୨)

ବେଙ୍ଗା ଓ ପାଟପୁର କେନାଲର ମୁଣ୍ଡରେ ପାଣି ଖଲାସ କରିବା ପାଇଁ ବାଟ ରଖିବାକୁ ହେବ ।

 

ବୈତରଣୀ ଅଞ୍ଚଳ

 

(୧)

ରେଲଲାଇନ ଉପରେ ଥିବା ବୈତରଣୀର ବାଁପଟର ବନ୍ଧଟାକୁ ଉଚ୍ଚ କରିବାକୁ ହେବ ଏବଂ ପାଣି ଖଲାସ କରିବା ପାଇଁ ଗୋଟିଏ ବାଟ ରଖିବାକୁ ହେବ ।

(୨)

ରେଲଲାଇନ୍‌ ଓ କେନାଲ ମୁଣ୍ଡରେ ଓ ମଧ୍ୟରେ ଥିବା ବୈତରଣୀର ଉଭୟ ବନ୍ଧକୁ ଉଚ୍ଚ କରିବାକୁ ହେବ । ଡାହାଣ ବନ୍ଧରେ ପାଣି ଯିବାପାଇଁ ବାଟ ରଖିବାକୁ ହେବ-

(୩)

ହାଇଲେଭଲ କେନାଲର ଦ୍ୱିତୀୟ ରେଞ୍ଜରଟାକୁ ଉଠାଇ ଦେବାକୁ ହେବ ।

(୪)

ବୁଢ଼ା ଡ୍ୟାମ୍‍ ଉପରେ ବୈତରଣୀର ଡାହାଣ ବନ୍ଧ ଓ ହାଇଲେଭଲ କେନାଲ ମଧ୍ୟରେ ଥିବା ଅଞ୍ଚଳରୁ ପାଣି ଖଲାସ କରିବା ପାଇଁ ଗୋଟିଏ ବାଟ ରଖିବାକୁ ହେବ ।

 

ଓଡ଼ିଶା ଉପକୂଳ କେନାଲ

 

(୧)

ଓଡ଼ିଶା ଉପକୂଳ କେନାଲର ୪ ଏ, ୪ ବି, ଓ ୫ ରେଞ୍ଜଗୁଡ଼ିକୁ ଉଠାଇ ଦେବାକୁ ହେବ ।

(୨)

ଭଦ୍ରକ-ଚାନ୍ଦବାଲି ରୋଡ଼କୁ ପକ୍କା କରିବାକୁ ହେବ ଏବଂ ପାଣିଯିବା ପାଇଁ ବହୁତ ବାଟ ରଖିବାକୁ ହେବ ।

 

ବ୍ରାହ୍ମଣୀ ଅଞ୍ଚଳ

 

(୧)

ବ୍ରାହ୍ମଣୀ ଡ୍ୟାମ୍‍ଟାକୁ ଉଠାଇ ଦେବାକୁ ହେବ ।

(୨)

କୁଆରିଆ ଓ ମତ୍ତଗୁଞ୍ଜର ନାଳକୁ ସଫା କରିବାକୁ ହେବ ।

(୩)

ପଟିଆ ଡ୍ୟାମ୍‍କୁ ଉଠାଇ ଦେଇ ସେ ସ୍ଥାନରେ କାନ୍ଥ ପକାଇବାକୁ ହେବ ।

(୪)

ଗଣ୍ଡବନ୍ଧଟାକୁ ଉଚ୍ଚ କରିବାକୁ ହେବ ଏବଂ ପାଣିଖଲାସ ହେବାପାଇଁ ଗୋଟିଏ ବାଟ ରଖିବାକୁ ହେବ ।

(୫)

ଦୁଧାଇ କେନାଲକୁ ଛାଡ଼ିଦେବାକୁ ହେବ ।

(୬)

ଡ୍ୟାମ୍‍ତଳର ବ୍ରାହ୍ମଣୀର ବନ୍ଧଟାକୁ ସରକାର ନିଜ ହାତକୁ ନେଇ ଉଚ୍ଚ କରିବାକୁ ହେବ । ଏହାକୁ ଡ୍ୟାମ୍‍ ଯାକେ ବଢ଼ାଇବାକୁ ହେବ । ଜନାର୍ଦ୍ଦନ ଓ ମାଣିକା ଘାଇରେ ପାଣି ଖଲାସ ହେବାପାଇଁ ବାଟ ରଖିବାକୁ ହେବ । ସାହାର ଓ ବିଷଇ ଘାଇକୁ ପକାଇବାକୁ ହେବ ।

 

ଖରସୁଆ ଓ ବ୍ରାହ୍ମଣୀ ମଧ୍ୟର ଅଞ୍ଚଳ

 

(୧)

ଗଜରିଆ ବନ୍ଧକୁ ଉଠାଇଦେବାକୁ ହେବ । ଉତ୍ତକଣ ବନ୍ଧକୁ ଛୋଟକରି ଦେବାକୁ ହେବ । ହଂସୁଆ ମୁହାଣରୁ ଜମି ଆବାଦୀ କରିବା ଏକାବେଳକେ ବନ୍ଦ କରିଦେବାକୁ ହେବ ।

(୨)

ଆଳି ରିଙ୍ଗବନ୍ଧକୁ ଉଠାଇଦେବାକୁ ହେବ । ଏହି ଏଷ୍ଟେଟର ରୋଡ଼ଟାକୁ ତଳୁଆ କରି ଦେବାକୁ ହେବ ।

(୩)

ଦାମରପୁର ରିଙ୍ଗବନ୍ଧକୁ ଉଠାଇ ଦେବାକୁ ହେବ ।

(୪)

ଆଳି ଓ ଦାମରପୁରରେ ପାଣିକଳ ଦ୍ୱାରା ଜଳସେଚନର ବ୍ୟବସ୍ଥା କରିବାକୁ ହେବ ।

(୫)

ଇନ୍ଦପୁର ବନ୍ଧଟା ଯେଉଁଠାରେ ଭାଙ୍ଗିଯାଇଛି ତାକୁ ମରାମତ କରିବାକୁ ହେବ ନାହିଁ । ଗୋପାଳପୁର ବନ୍ଧଟାକୁ ଉଠାଇ ଦେବାକୁ ହେବ ।

(୬)

ବ୍ରାହ୍ମଣୀରୁ ଛୋଟ ବ୍ରାହ୍ମଣୀ ଭିତରକୁ ପାଣି ଖଲାସ ହେବାପାଇଁ ଗୋଟିଏ ବାଟ ରଖିବାକୁ ହେବ ।

(୭)

ମାର୍ଶାଘାଇ ଓ ଜାମ୍ୱ ମଧ୍ୟରେ ଥିବା କେନ୍ଦ୍ରାପଡ଼ା କେନାଲର ଅଂଶଟି ଉଠାଇ ଦେବାକୁ ହେବ ।

 

ପଟ୍ଟାମୁଣ୍ଡେଇ ଓ ମାଛଗାଁ ମଧ୍ୟସ୍ଥିତ ଅଞ୍ଚଳ

 

(୧)

ମୁହାଣ ପାଖରେ ଛୋଟ ଛୋଟ ବନ୍ଧଛଡ଼ା ମହାନଦୀ ଓ ଦେବୀ ନଦୀର ଦ୍ୱୀପମାନଙ୍କରେ ପାଣିର ରାସ୍ତାରେ ଥିବା ସବୁ ପ୍ରତିବନ୍ଧକ ଗୁଡ଼ିକୁ କ୍ରମଶଃ ଉଠାଇ ଦେବାକୁ ହେବ ।

(୨)

ଏହି ଦ୍ୱୀପମାନଙ୍କରେ ପାଣିକଳଦ୍ୱାରା ଜଳସେଚନର ବ୍ୟବସ୍ଥା କରିବା ଦରକାର । ଖାଲ ଜାଗାମାନଙ୍କରୁ କିପରି ପାଣି ଖଲାସ ହେବ ତାହାପାଇଁ ବାଟ ରଖିବା ଦରକାର-

 

ମହାନଦୀର ଦକ୍ଷିଣ-ଶାଖା

 

(୧)

ମହାନଦୀ ମୁହାଣରୁ ଜମି ଆବାଦୀ କରିବା ପାଇଁ ଏକାବେଳକେ ବନ୍ଦ କରିବାକୁ ହେବ ।

(୨)

ମହାନଦୀର ଦକ୍ଷିଣ-ଶାଖାମାନଙ୍କର ଜଳ ଯେଉଁ ଅଞ୍ଚଳ ଦେଇ ଯାଉଛି ସେ ଅଞ୍ଚଳରେ ନୂଆ ବନ୍ଧ ତିଆର କରାଯାଇ ପାରିବ ନାହିଁ କି ପୁରୁଣା ବନ୍ଧକୁ ଉଚ୍ଚ କିମ୍ୱା ଲମ୍ୱା କରାଇ ଦିଆଯାଇ ପାରିବ ନାହିଁ ।

(୩)

ମାଂଖ ଘାଇ ପାଖର ବନ୍ଧକୁ ସରକାର ନିଜ ହାତକୁ ନେବା ଦରକାର ନାହିଁ । ଘାଇଟି ଯଦି ପୁନର୍ବାର ଖୋଲିଯାଏ ତେବେ ପାଣି ଖଲାସ ହେବାପାଇଁ ସେଠାରେ ଗୋଟିଏ ବାଟ ରଖିବା ଦରକାର ।

(୪)

ଅଳକା ନଈକୁ ପୁନର୍ବାର ଖୋଳିବା ଦରକାର ଏବଂ ତା’ର ଉତ୍ପତ୍ତି ସ୍ଥାନରେ ଗୋଟିଏ ସ୍କେପ୍‌ ରହିବା ଦରକାର ।

(୫)

ଦେବୀର ଡାହାଣ ପଟ ବନ୍ଧକୁ ଉଚ୍ଚ କରିବାକୁ ହେବ ନାହିଁ । କାକଟପୁର ଅଞ୍ଚଳରେ ବେସରକାରୀ ନୂଆ ବନ୍ଧ ତିଆରି କରିବା ଏକାବେଳକେ ମନା କରି ଦେବାକୁ ହେବ ।

(୬)

ପ୍ରାଚୀନଦୀର ଗତି କିପରି ଉନ୍ନତ ହେବ ତା’ର ତଦନ୍ତ କରିବା ଦରକାର ।

(୭)

ନଦୀମୁହାଣ ପାଖର ବନ୍ଧା ବନ୍ଧଗୁଡ଼ିକୁ କିପରି ଉଠାଇଦେବାକୁ ହେବ ତା’ର ବ୍ୟବସ୍ଥା କରିବାକୁ ହେବ ।

(୮)

ସରହ୍ରଦ ଠାରୁ ସମୁଦ୍ର ପର୍ଯ୍ୟନ୍ତ ଗୋଟିଏ ନାଳ ଖୋଲିବାକୁ ହେବ ।

(୯)

ଦୟାର ବାଁ ବନ୍ଧଟାକୁ ଆଉ ଉଚ୍ଚ ନ କରି ତାକୁ କ୍ରମଶଃ ଉଠାଇଦେବାକୁ ହେବ ।

(୧୦)

ଦୟାଠାରୁ ଦୁଇମାଇଲ ଦୂରରୁ ମନାଗୁଣିର ବନ୍ଧସବୁ ଉଠାଇଦେବାକୁ ହେବ ।

(୧୧)

ଦୟାର ଡାହାଣରେ ବନ୍ଧ ପକାଇବାକୁ ଅନୁମତି ଦେବାକୁ ହେବ ନାହିଁ ।

(୧୨)

ନୁଣା ଓ ରତନଚିରାର ବନ୍ଧଗୁଡ଼ିକୁ ଆଉ ଥରେ ତିଆର କରାଯାଇ ପାରିବ ନାହିଁ ।

(୧୩)

ଚିଲ୍ଲିକା ଗର୍ଭରେ ଆବାଦୀ କରିବାକୁ ହେବ ନାହିଁ ।

(୧୪)

ଚିଲ୍ଲିକାର ଗୋଟିଏ ଖୋଲାମୁହଁ ରଖିବାର ବନ୍ଦୋବସ୍ତ କରିବାକୁ ହେବ ।

 

ବନ୍ୟା କମିଟି ଯେଉଁ ରିପୋର୍ଟ ଦେଇଅଛନ୍ତି ତାହା ଯଥେଷ୍ଟ ନୁହେଁ । ସେମାନେ ମଧ୍ୟ ଏହା ସ୍ୱୀକାର କରିଅଛନ୍ତି । କିନ୍ତୁ ଯଥେଷ୍ଟ ନୁହେଁ ‘‘ବୋଲି ଯେ ସେଗୁଡ଼ିକର ମୂଲ୍ୟ ନାହିଁ ଏହା କେବେ କୁହାଯାଇପାରିବ ନାହିଁ । ଏହା ଯେତେ ମୂଲ୍ୟବାନ୍‌ ସରକାର ସେ ଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସେତେ ଉଦାସୀନ ପରି ଜଣା ପଡ଼ୁଛି । ତା ନ ହେଲେ ରିପୋର୍ଟ ପ୍ରକାଶ ପାଇ ପ୍ରାୟ ୫ ବର୍ଷ ହୋଇସାରିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କର କାର୍ଯ୍ୟତତ୍ପରତା ଦେଖାଯାଉ ନାହିଁ । ଏହା କମ କ୍ଷୋଭର କଥା ନୁହେଁ ।

 

ଏତ ଗଲା ବନ୍ୟାର ଚିରସ୍ଥାୟୀ ପ୍ରତିକାର ସମ୍ୱନ୍ଧରେ ବନ୍ୟା ସମୟରେ ସରକାର ଓ ଦେଶବାସୀଙ୍କ କର୍ତ୍ତବ୍ୟ କ’ଣ ତାହା ଉତ୍ତମରୂପେ ବୁଝି ରଖିବା ଉଚିତ । ଗତବର୍ଷ ଯେଉଁ ବଢ଼ିହେଲା ସେଥିରେ ଦେଖାଯାଇଛି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା କିମ୍ୱା ସମ୍ୱାଦ ପହଞ୍ଚାଇବା ଏକାବେଳକେ କଷ୍ଟକର । ଯେଉଁମାନେ ବନ୍ୟା ପରିଦର୍ଶନ କରିବା ପାଇଁ ମଫସଲକୁ ଯାଇଥିଲେ ସେମାନଙ୍କ ଅବସ୍ଥା କ’ଣ ହେଲା । ସ୍ଥାନର ଅବସ୍ଥା କ’ଣ ତାହା ଜାଣିବାର ଆଦୌ ଉପାୟ ନାହିଁ । ଏହା ଦ୍ୱାରା କି ଅସୁବିଧା ହୁଏ ତାହା ପ୍ରତ୍ୟେକ କର୍ମ୍ମୀ ବୁଝି ପାରୁଥିବେ । ଯଦି ବେତାର ଯନ୍ତ୍ରର ବ୍ୟବସ୍ଥା ହୋଇ ପାରନ୍ତା ତେବେ ଏହି ଅସୁବିଧାଟି ଯେ ଏକାବେଳକେ ଲୋପ ପାଇଯାନ୍ତା ଏଥିରେ ସନ୍ଦେହ ନାହିଁ । ଏହାଦ୍ୱାରା ବେଶୀ କିଛି ଅଧିକା ଖର୍ଚ୍ଚ ହେବାର ବୋଲି ବିଶ୍ୱାସ ହେଉନାହିଁ ପ୍ରତିବର୍ଷ ବନ୍ୟାକାର୍ଯ୍ୟ ପଡ଼ୁଥିବା ଯୋଗୁଁ ଚିରଦିନ ପାଇଁ ବେତାରର ବ୍ୟବସ୍ଥା କରିଦେଲେ ବିପନ୍ନ ଲୋକଙ୍କର ବହୁତ ଉପକାର ହୁଅନ୍ତା ।

 

ଆଉ ଗୋଟିଏ ପ୍ରଧାନ କଥା ଏଠାରେ ଉଲ୍ଲେଖ ନକରି ରହିପାରୁନାହିଁ । ବନ୍ୟା ସମୟରେ ଏପରି ଅନେକ ସମୟରେ ଦେଖା ଯାଇଛି ହଠାତ୍‌ ପାଣି ପଶିଯିବା ଦ୍ୱାରା ଅନେକ ଗ୍ରାମରୁ ଲୋକେ ନିରାପଦ ସ୍ଥାନକୁ ଆସିପାରନ୍ତି ନାହିଁ । ଏହି ବର୍ଷର ବଢ଼ିରେ ଖଣ୍ଡେଇତାରେ ପ୍ରଧାନ ସାହିର ଚାରିପଟେ ପାଣିର ସୁଅ ଚାଲିଥାଏ । କେଉଁଠାରେ ୨୦ ଫୁଟ, କେଉଁଠାରେ ପନ୍ଦର ଫୁଟ । ପାଣିର ସୁଅ ଏତେ ଟାଣ ଯେ ସାପ ପଡ଼ିଲେ ଦୁଇଖଣ୍ଡ ହୋଇଯିବ । ସେହି ସାହିର ଅଧିକାଂଶ ଘର ଭାସି ଯାଇଥିଲା । ଯେଉଁ କେତୋଟି ଘର ରହି ଯାଇଥିଲା ସେଥିରେ ଥିଲେ ୨୨ ଜଣ ଲୋକେ ଓ ୧୭–୨୦ ଟି ଗୋରୁ । ଏମାନେ ସମସ୍ତେ ଆର୍ତ୍ତନାଦରେ ଡକା ପକାଉଥା’ନ୍ତି ‘‘ଆମକୁ ନେଇନିଅ, ଭାସି ଯାଉଛୁ ।’’ ସେମାନଙ୍କର ଡାକ ଆମେ ଶୁଣୁଥାଉ କିନ୍ତୁ ଯାଇପାରିନାହୁଁ । ଡଙ୍ଗାବାଲାମାନେ ସେ ସୁଅରେ ଡଙ୍ଗା ଛାଡ଼ିବା ପାଇଁ ଏକାବେଳକେ ନାରାଜ । ଦଶ ପନ୍ଦର ଟଙ୍କା ବକ୍‌ସିସ୍‌ ଯାଚିଛୁ ତେବେ ସୁଦ୍ଧା ସେମାନେ ରାଜି ହେଉନାହାନ୍ତି । କିନ୍ତୁ ଭଗବାନଙ୍କ କୃପାରୁ ତହିଁ ଆରଦିନ ପାଣି ଅଳ୍ପ କମିଗଲା ସେମାନଙ୍କୁ ଉଦ୍ଧାର କରି ଆଣିଲୁ । ସାସୋଲ ଓ ସବଳପୁରରେ ଅନେକ ଲୋକ ଗଛ ଉପରେ ପଲାବନ୍ଧି ୭-୮ ଦିନ ପର୍ଯ୍ୟନ୍ତ ରହିଥିଲେ କିନ୍ତୁ ସେମାନଙ୍କୁ ନିରାପଦ ସ୍ଥାନକୁ ଆଣିବା ପାଇଁ ଉପାୟ ନଥିଲା । ଏହି ଯେ ଅସୁବିଧା ତାହା ଦୂର ହେବ ଯଦି ଏହି ସମୟରେ ଗୋଟିଏ ବ୍ୟୋମଯାନ ରହେ । ଏତେ ଗୁଡ଼ିଏ ଲୋକଙ୍କର ଜୀବନ ରକ୍ଷା କରିବା ତୁଳନାରେ ଏହା ତଳେ ହେବା ଖର୍ଚ୍ଚ କିଛି ନୁହେଁ କହିଲେ ଚଳେ । ଗୁଜରାଟର ବନ୍ୟା ସମୟରେ ବମ୍ବେ ସରକାର ବ୍ୟୋମଯାନରେ ଲୋକଙ୍କୁ ଉଦ୍ଧାର କରିଥିଲେ । ଓଡ଼ିଶାରେ ଯେ ତା’ କାହିଁକି ନ ହେବ ତାହା କିଛି ଜଣାଯାଉନାହିଁ । ଅବଶ୍ୟ ଓଡ଼ିଆର ଜୀବନ ଯଦି ମୂଲ୍ୟହୀନ ତେବେ ତାହା ଭିନ୍ନକଥା !

 

ଧୋଇଆ ଅଞ୍ଚଳର ଲୋକମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି କରିବା ପାଇଁ ନୂତନ ଉପାୟ ଉଦ୍ଭାବନ ନ କଲେ ଆଉ ରକ୍ଷା ନାହିଁ । ଏହି ଧୋୟା ଅଞ୍ଚଳରେ ଜନସଂଖ୍ୟା କ୍ରମଶଃ ଲୋପ ହେବାକୁ ବସିଲାଣି । ଆଉ କିଛିବର୍ଷ ଯଦି ଏପରି ଚାଲେ ତେବେ ଏହି ଅଞ୍ଚଳଗୁଡ଼ିକ ଯେ ଏକାବେଳକେ ମରୁଭୂମି ପାଲଟିଯିବ ଏଥିରେ ସନ୍ଦେହ ନାହିଁ ବେଳହୁଁ ହୁସିଆର ହେବାକୁ ହେବ । କେବଳ ସାରଦ ଫସଲ ଉପରେ ନିର୍ଭର କଲେ ଚଳିହେବ ନାହିଁ । ଡାଳୁଅ ଓ ରବି ଫସଲର କିପରି ବେଶୀ ପରିମାଣରେ ପ୍ରଚାର ହେବ ତା’ର ବ୍ୟବସ୍ଥା କରିବାକୁ ହେବ । ଏ ସମ୍ୱନ୍ଧରେ ସରକାରୀ କୃଷି ବିଭାଗର ବେଶୀ ଦାୟିତ୍ୱ ରହିଛି । ଧୋୟା ଅଞ୍ଚଳମାନଙ୍କରେ ସ୍ଥାନେ ସ୍ଥାନେ ଶାଖା ଆଦର୍ଶ କୃଷିକ୍ଷେତ୍ର ଖୋଲି ଲୋକଙ୍କୁ ପାଣିକଳ ଦ୍ୱାରା ଜଳସେଚନ, ରବିଫସଲ ଉତ୍ପନ୍ନ ପ୍ରଭୃତି ବିଷୟରେ ଯଥେଷ୍ଟ ଜ୍ଞାନ ଦେବା ଉଚିତ ।

 

ଆଜି ପର୍ଯ୍ୟନ୍ତ ଏହି ବନ୍ୟା ସମାସ୍ୟାର ତଦନ୍ତ ଯଥେଷ୍ଟ ଭାବେ ହୋଇପାରିନାହିଁ ବୋଲି ପୂର୍ବେ କୁହାଯାଇଛି । ଏହାର ଅନୁସନ୍ଧାନ ଯେ ନିତାନ୍ତ ଦରକାର ଏଥିରେ ସନ୍ଦେହ ନାହିଁ । ଓଡ଼ିଶାର ବନ୍ୟା କହିଲେ କେବଳ ରାଜନୈତିକ ଓଡ଼ିଶା ଭିତରେ କଥାଟାକୁ ଆବଦ୍ଧ ରଖିଲେ ଚଳିବ ନାହିଁ । ଗଡ଼ଜାତ ଓ ମଧ୍ୟପ୍ରଦେଶକୁ ଧରି ଏହାର ଅନୁସନ୍ଧାନ ଆରମ୍ଭ ହେବା ଉଚିତ । ପ୍ରତ୍ୟେକ ନଦୀର ଉତ୍ପତ୍ତିସ୍ଥାନଠାରୁ ଶେଷସ୍ଥାନ ପର୍ଯ୍ୟନ୍ତ ତନ୍ନ ତନ୍ନ ଭାବେ ପରିଦର୍ଶନ କରି ବନ୍ୟାର କାରଣ ଓ ତା’ର ପ୍ରତିକାର ଉପାୟ ସ୍ଥିର କରିବାକୁ ହେବ । ସରକାରୀ ବେସରକାରୀ ତରଫର ଲୋକେ ରହି ଗୋଟିଏ ଚିରସ୍ଥାୟୀ ଶକ୍ତିଶାଳୀ କମିଟି ଗଠନ କରିବାକୁ ହେବ । ପଣ କରିବାକୁ ହେବ ଏହି ସମାସ୍ୟାର ସମାଧାନ ଆମେ ନିଶ୍ଚେ କରିବୁଁ । ସରକାର ଏ ସମ୍ୱନ୍ଧରେ ପଛେଇ ଗଲେ ଦେଶର ଆଉ ରକ୍ଷା ନାହିଁ । ଏ ଦିଗରେ ଯେତେଶୀଘ୍ର କାର୍ଯ୍ୟ ଆରମ୍ଭ ହୁଏ ତେତେ ମଙ୍ଗଳ ।

 

ଓଡ଼ିଶାର ଏତେବଡ଼ ସମାସ୍ୟ ପ୍ରତି ଦେଶବାସୀ କିମ୍ୱା ସରକାର ଉପଯୁକ୍ତ ଦୃଷ୍ଟି ଦେଇ ନ ଥିବା ବଡ଼ ଲଜ୍ଜାର କଥା । ମହାକାଜୀଙ୍କ ଭାଷାରେ କହିବାକୁ ଗଲେ ‘‘Flood is a permanent disease in Orissa-’’ ‘‘ବନ୍ୟା ହେଉଛି ଓଡ଼ିଶାର ଗୋଟିଏ ଚିରରୋଗ ।’’ ଏହାର ସମାଧାନ ପାଇଁ ଯେତେ ଚେଷ୍ଟା ହେବାର କଥା ତାହା ହୋଇଛି କି ? ପ୍ରକୃତି ବିରୁଦ୍ଧରେ ଆମ୍ଭମାନଙ୍କୁ ଯୁଦ୍ଧ କରିବାକୁ ହେବ । Mahanadi is Orissa and Orissa Mahanadi ଦୀନବନ୍ଧୁ ଏଣ୍ଡୃଜଙ୍କ ଭାଷାର ଏପରି ଯେଉଁ ମହାନଦୀ ତାକୁ "harness"–ତା’ର ପରାକ୍ରମକୁ ଖର୍ବ କରିବାକୁ ହେବ । ଏଥିପାଇଁ କି ପରିମାଣରେ ଶକ୍ତି ଦରକାର, କି ଅଧ୍ୟବସାୟ ଦରକାର ତାହା କଳ୍ପନା କରାଯାଇ ପାରୁ ନାହିଁ । ପ୍ରତିବର୍ଷ ନୂତନ ଓଡ଼ିଶା ପ୍ରଦେଶର ବଜେଟରେ ବନ୍ୟା ପ୍ରତିକାର ପାଇଁ ଅନ୍ତତଃ ୫ ଲକ୍ଷ ଟଙ୍କା ବ୍ୟବସ୍ଥା ନ କଲେ ଏହି ସମାସ୍ୟାର ସମାଧାନ ହୋଇ ପାରିବ ନାହିଁ । ପ୍ରତିବର୍ଷ ଯଦି ୫ ଲକ୍ଷ ଖର୍ଚ୍ଚ ହୁଏ ତେବେ କିଛିବର୍ଷ ପରେ ବନ୍ୟାର ଦାଉ ଅନେକ ପରିମାଣରେ କମି ଯାଇପାରେ । ଓଡ଼ିଶା ବନ୍ୟା ସମାସ୍ୟା କେବଳ ଓଡ଼ିଶାର ସମାସ୍ୟ ନ ହୋଇ ସମଗ୍ର ଭାରତର ସମାସ୍ୟା ହେବା ଉଚିତ । କେବଳ ସରକାରର ବିନା ସାହାଯ୍ୟରେ ଏତେବଡ଼ କାର୍ଯ୍ୟ ସୁବିଧାରେ ହୋଇପାରିବ ବୋଲି ବିଶ୍ୱାସ ହେଉ ନାହିଁ ।

 

କିନ୍ତୁ ଏଥିପାଇଁ ସେ ଆନ୍ଦୋଳନ କାହିଁ ? ଓଡ଼ିଶାବାସୀ ଆଜିଠାରୁ କମର କଷି ନ ବାହାରିଲେ ଅଳ୍ପ ଦିନ ମଧ୍ୟରେ ଦେଶଟି ଉଚ୍ଛନ୍ନ ହୋଇଯିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

Image